shadow man with knife on red background
ଯାଜପୁର ଅଫିସ/ବିଞ୍ଝାରପୁର/ପ୍ରୀତିପୁର(ଡି.ଏନ.ଏ.),୬ା୩:ବାହା କରାଇ ନ ଦେବାରୁ ଗୋପାଳ ଓଝା ନାମକ ଜଣେ ଯୁବକ ତାଙ୍କ ମା’ ପ୍ରେମଲତାଙ୍କୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଯାଜପୁର ଜିଲା ବିଞ୍ଝାରପୁର ବିନ୍ଧାଣିସାହିରେ ଶନିବାର ରାତି ପ୍ରାୟ ୧୧ଟାରେ ଘଟିଛି। ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ଗୋପାଳଙ୍କୁ ବିଞ୍ଝାରପୁର ଥାନା ପୋଲିସ ରବିବାର ସକାଳେ ନିକଟସ୍ଥ ବରପଦାଠାରୁ ଗିରଫ କରିଛି। ତାଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଥିବା ଥାନାଧିକାରୀ ରଞ୍ଜିତ ମହାନ୍ତି ସୂଚନା ଦେଇଛନ୍ତି।
୩୭ ବର୍ଷୀୟ ଗୋପାଳ ତାଙ୍କ ବିବାହ ବୟସ ଗଡ଼ିଯାଉଥିବାରୁ ଚିନ୍ତାରେ ଥିଲେ। ତାଙ୍କୁ ବିବାହ କରାଇ ଦେବା ପାଇଁ ସେ ବାପା ଶୁକଦେବ ଓଝା ଏବଂ ମା’ ପ୍ରେମଲତାଙ୍କୁ କହି ଆସୁଥିଲେ। ତେବେ ଗୋପାଳ କୌଣସି ରୋଜଗାର କରୁ ନଥିବାବେଳେ ପ୍ରାୟ ସବୁ ସମୟରେ ନିଶାସେବନ କରି ଗଣ୍ଡଗୋଳ କରୁଥିଲେ। ତେଣୁ ତାଙ୍କୁ ଝିଅ ଦେବାକୁ କେହି ରାଜି ହେଉ ନ ଥିଲେ ବୋଲି ଗ୍ରାମବାସୀ କହିଛନ୍ତି। ଘଟଣାଦିନ ବିବାହ ପ୍ରସଙ୍ଗକୁ ନେଇ ଗୋପାଳ ଘରେ ଗଣ୍ଡଗୋଳ କରିଥିଲେ ଏବଂ ନ ଖାଇ ଶୋଇ ପଡ଼ିଥିଲେ। ପ୍ରଥମେ ତାଙ୍କ ବାପା ଓ ପରେ ମା’ ତାଙ୍କୁ ଖାଇବା ପାଇଁ ଡାକିବାକୁ ଯାଇଥିଲେ। ତେବେ ମା’ ଡାକିବାକୁ ଯିବାରୁ ସେ ହଠାତ୍୍ କବାଟ ଖୋଲି କଟୁରିରେ ଆକ୍ରମଣ କରି ତାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ ବୋଲି ଜଣାପଡ଼ିଛି। ବିଞ୍ଝାରପୁର ପୋଲିସ ମୃତଦେହକୁ ଜବତ କରିବା ସହିତ ଆଇପିସି ଦଫା ୩୦୨ ଅନୁଯାୟୀ ଏକ ମାମଲା (୭୬/୨୩) ରୁଜୁ କରିଛି।