ନିଶା ପାଇଁ ପୁଅ ସାଜିଲା ରାକ୍ଷସ: ବାପାଙ୍କ ମୁଣ୍ଡରେ ପିଟିଲା ବିୟର ବୋତଲ

ଭୁବନେଶ୍ୱର,୫।୧: ରାଜଧାନୀରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନିଶା ପାଇଁ ଟଙ୍କା ନପାଇ ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ବିୟର ବୋତଲରେ ଆକ୍ରମଣ କରି ଗୁରୁତର କରିଦେଇଛି। ଏହି ଅଭାବନୀୟ ଘଟଣାଟି କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାର ପଲ୍ଲୀ ବସ୍ତି ଅଞ୍ଚଳରେ ଘଟିଛି।

ସୂଚନା ଅନୁସାରେ, ଅଭିଯୁକ୍ତ ପୁଅ ନିଶା ସେବନ କରିବା ପାଇଁ ବାପାଙ୍କୁ ଟଙ୍କା ମାଗିଥିଲା। ମାତ୍ର ବାପା ଟଙ୍କା ଦେବାକୁ ମନା କରିବାରୁ ପୁଅ ଉତକ୍ଷିପ୍ତ ହୋଇ ଉଠିଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ପରେ ପୁଅ ଏକ ବିୟର ବୋତଲ ଆଣି ବାପାଙ୍କ ମୁଣ୍ଡରେ ମାଡ଼ କରିଥିଲା।

ଆକ୍ରମଣରେ ବାପା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଏବଂ ନିଶାର କୁପ୍ରଭାବକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।