ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି ଦେଇଛନ୍ତି। ବୁଧବାର ସକାଳେ ମର୍ନିଂଓ୍ବାକ୍ କରୁଥିବା କିଛି ଲୋକ ଏହାକୁ ଦେଖିବାକୁ ପାଇଥିଲେ। ଏହା ପରେ ଟାଉନ ଥାନା ପୋଲିସକୁ ଖବର ଦିଆଯାଇଥିଲା। ଖବରପାଇ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, କାଉନସିଲର ନନ୍ଦିନୀ ପୋଢ, ମର୍ନିଂଓ୍ବାକ୍ ଗ୍ରୁପର ବୀରେନ୍ଦ୍ର ବନଛୋର, ସାଗୁଆ ବଲାଙ୍ଗୀରର ଜୟ ପୁରୋହିତ, କାଉନସିଲର ଶମ୍ଭୁ ନାଗ ପାର୍କର ଗଛ କଟା ସ୍ଥାନ ବୁଲି ଦେଖିଥିଲେ। ଗଛ କଟାକୁ ପୌରାଧ୍ୟକ୍ଷା ସାହୁ ନିନ୍ଦା କରିବା ସହ ଦୁର୍ବୃତ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ପାର୍କରେ ସିସି କ୍ୟାମେରା ଲଗାଇବା ସହ ପାର୍କର ରକ୍ଷଣାବେକ୍ଷଣ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।