ନୂଆପଡ଼ା,୧୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାଣି ସିଆର୍ପିଏଫ୍ କ୍ୟାମ୍ପରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଜଣେ ଯବାନ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ୨୧୬ ବାଟାଲିୟନରେ କାର୍ଯ୍ୟ କରୁଥିବା ଖଡିଆଳ ଥାନା ସାନମହେଶ୍ୱର ପଞ୍ଚାୟତ ଘରଧରା ଗାଁର ଗୋପୀନାଥ ଶବର। ସୂଚନା ଅନୁଯାୟୀ ପୂର୍ବାହ୍ନ ୧୧ଟା ସମୟରେ ହଠାତ୍ ଗୋପୀନାଥ ନିଜ ଏକେ ୪୭ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ହେଲେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଛି। ଖବର ପାଇ ତାଙ୍କ ସ୍ତ୍ରୀ ଘଟଣାସ୍ଥଳକୁ ଯାଇଛନ୍ତି। ଉଚ୍ଚସ୍ତରୀୟ ପୋଲିସ ଅଧିକାରୀ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ରାତି ହୋଇଯିବାରୁ ଶନିବାର ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଘଟଣାସ୍ଥଳ ଓ ଅନ୍ୟାନ୍ୟ ସ୍ଥାନରେ ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ ସିଂ କହିଛନ୍ତି ା