ଭଞ୍ଜନଗର,୨୨।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତନରଡା ଅଷ୍ଟମ ସ୍ବତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀର ବରିଷ୍ଠ ହାବିଲଦାର ସଞ୍ଜୟ କିଷାନ (୪୦)ଙ୍କ ହୃଦଘାତରେ ପରଲୋକ ହୋଇଛି। ଏ ହାକୁ ନେଇ ଯବାନମାନଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ତନରଡା ବାଟାଲିୟନ କାର୍ଯ୍ୟାଳୟ ପରିସରରେ କମାଣ୍ଡେଣ୍ଟ ସୁଧାକର ମିଶ୍ର ଏବଂ ଅନ୍ୟ ଅଧିକାରୀ ମାନେ ମରଶରୀରକୁ ଶେଷ ସମ୍ମାନ ଜଣାଇଥିଲେ। ଏହାପରେ ମରଶରୀରକୁ ତାଙ୍କ ଗ୍ରାମ ସୁନ୍ଦରଗଡ଼ ଜିଲା ଉପରପଦା ଗ୍ରାମ ଅଭିମୁଖେ ନିଆଯାଇଛି।
ସୂଚନାଯୋଗ୍ୟ ଯେ, ସଞ୍ଜୟ ଆଜିକୁ କିଛି ମାସ ହେବ ନକ୍ସଲ ବିରୋଧୀ ଶିବିରରେ ଯୋଗଦେବା ପାଇଁ ଭଞ୍ଜନଗର କ୍ୟାମ୍ପରୁ ରାଇକିଆ କ୍ୟାମ୍ପକୁ ଯାଇଥିଲେ। ଗତକାଲି କର୍ମକ୍ଷେତ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ହୃଦଘାତ ମାରିଥିଲା। ଏହାପରେ ତାଙ୍କୁ ରାଇକିଆ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ଫୁଲବାଣୀ ନିଆଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ନ ଆସିବାରୁ ବ୍ରହ୍ମପୁର ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ବାଟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟ ମୃତ୍ୟୁବରଣ କରିଥିବା ଜଣାପଡିଛି । ସଞ୍ଜୟ ୨୦୦୬ ମସିହାରେ ଚାକିରି ଆରମ୍ଭ କରିଥିଲେ। ତାଙ୍କ ଘର ସୁନ୍ଦରଗଡ଼ ଜିଲା ବଣେଇଗଡ଼ ଥାନା ଅନ୍ତର୍ଗତ ଉପରଗଦା ଗ୍ରାମ।