୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି। ଫଳରେ ଗାଁରେ ବସବାସ କରୁଥିବା ୮୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୨ଟି ନଳକୂପ ଖନନ କରାଯାଇଥିଲେ ମଧ୍ୟ ଏଥିରୁ ବାହାରୁଥିବା ପାଣି ଗ୍ରାମର ଗୁଡ଼ିପଡ଼ା, ସିଂଗ୍ରାପଡ଼ା, ସ୍କୁଲପଡ଼ା, ମଦନପଡ଼ାବାସୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁ ନ ଥିଲା। ଗ୍ରୀଷ୍ମ ଋତୁରେ ଏଠାକାର ଲୋକ ପାଣି ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ଏପରି କି ନାଳର ଦୂଷିତ ପାଣି ବ୍ୟବହାର କରୁଥିବା ନଜିର ରହିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବ୍ଲକ ଜଳ ଓ ପରିମଳ ବିଭାଗ ଦ୍ବାରା କିଛିବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ଜଳପ୍ରକଳ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି କିଛିମାସ ଠିକ ଚାଲିବା ପରେ ଦୁଇବର୍ଷ ହେଲା ଅଚଳ ହୋଇପଡିଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ସୁଫଳ ପାଇ ନ ଥିବା କହିଛନ୍ତି। ଏ ସମ୍ପର୍କରେ ଜଳ ପରିମଳ ବିଭାଗ ଅଧିକାରୀ ମନ୍ମଥ ମୁର୍ମୁଙ୍କୁ ପଚାରିବାରୁ ଏ ସମସ୍ୟା ଉପରେ ମୁଁ ଅବଗତ ଅଛି। ସମସ୍ୟା କ’ଣ ହୋଇଛି ତଦାରଖ କରି ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଥିଲେ।

 

Dharitri – Odisha’s No.1 Odia Daily