ଦେବଗଡ,୩୦ା୪(ଶଶାଙ୍କ ଶେଖର ଝାଙ୍କର)- ବାରକୋଟ ବ୍ଲକର ବିଭିନ୍ନ ଗ୍ରାମରେ ଜାତୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱାଟରଏଡ୍ ଇଣ୍ଡିଆ ପକ୍ଷରୁ ଜିଲା ପ୍ରଶାସନ ଆନୁକୂଲ୍ୟରେ ୯ଟି ସୌରଶକ୍ତି ଚାଳିତ ଲୌହଜଳ ଅପସାରଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ବମ୍ପରଡା ଗ୍ରାମପଞ୍ଚାୟତ ସଭାଗୃହରେ ଉକ୍ତ ପ୍ରକଳ୍ପର ଉଦ୍ଘାଟନୀ ସଭା ଏବଂ ପ୍ରକଳ୍ପ ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ୱାଟରଏଡ୍ ଇଣ୍ଡିଆର ବରିଷ୍ଠ ଅଧିକାରୀ ସୀମାଞ୍ଚଳ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ବମ୍ପରଡା ସରପଞ୍ଚ ନମିତା ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଯଶୋଧର କିସାନ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ନୁଏଲ ମୁଣ୍ଡା ଯୋଗଦେଇଥିଲେ। ବମ୍ପରଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ନେତ୍ରାବାହାଲ ଏବଂ କତ୍ରାପାଲି ଗ୍ରାମରେ ନିର୍ମାଣ ହୋଇଥିବା ସୌରଶକ୍ତି ଚାଳିତ ଲୌହଜଳ ଅପସାରଣ ପ୍ରକଳ୍ପକୁ ଅତିଥି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଳ ଓ ପରିମଳ କମିଟି ସଦସ୍ୟା, ସଦସ୍ୟଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।