ବାଟରେ ଯାଉଥିବାବେଳେ ଦୁର୍ଘଟଣାରେ ଗୁରୁତରଙ୍କୁ ଦେଖି ଏମିତି କାମ କଲେ ସାମାଜିକ କର୍ମୀ

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ସୋମବାରଜଣେ ସ୍କୁଟି ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ରାସ୍ତାରେ କଚାଡି ହୋଇପଡି ଗୁରୁତର ହୋଇଥିଲେ। ସମସ୍ତେ ଦେଖୁଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ ପାଇଁ କେହି ସେଠାକୁ ଯାଉନଥିଲେ। ସେହି ସମୟରେ ଖମାରୀ ଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ସାମାଜିକକର୍ମୀ ଚିତ୍ରସେନ ଗୌଡ଼ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ କାମ ସାରି ନିଜ କାର୍‌ରେ ଗାଁକୁ ଫେରୁଥିଲେ। ଗୁରୁତରଙ୍କୁ ଦେଖି କାର୍‌ରୁ ଓହ୍ଲାଇ ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ସ୍କୁଟି ଚାଳକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଗୁରୁତର ଆହତ ଜଣଙ୍କ ହେଲେ ଚିକିଟି ବ୍ଳକ କଳବାଡ ପଞ୍ଚାୟତ କାଶ୍ମୀର ଶାସନ ଗ୍ରାମର ସୁନୀଲ ପାତ୍ର ।

ମିଳିଥିବା ସୂଚନାନୁସାରେ, ସୁନୀଲ ତାଙ୍କ ଶାଳକଙ୍କ ବାହାଘର ନିମନ୍ତ୍ରଣ କାର୍ଡ ଦେବାକୁ ସ୍କୁଟି ଯୋଗେ ଦିଗପହଣ୍ଡି ବ୍ଳକ କଇଠଡା ପଞ୍ଚାୟତ ଦ୍ବାର ଗାଁ ଅଭିମୁଖେ ଯାଉଥିଲେ। ସେହିସମୟରେ ନୂତନ ମେଡିକାଲ କୋଠା ସମ୍ମୁଖ ରାସ୍ତାରେ ଅସାବଧାନତା କାରଣରୁ ପଡ଼ି ଯାଇଥିଲେ। ସୁନୀଲଙ୍କ ପରିବାର ସଦସ୍ୟଙ୍କ ସହ ଚିତ୍ରସେନ ଫୋନ ଯୋଗେ ଯୋଗାଯୋଗ କରିବା ସହ ତାଙ୍କ ପ୍ରାଥମିକ ଚିକିତ୍ସା କରାଇବା ପରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଚିତ୍ରସେନଙ୍କ ଏଭଳି ମହାନତାକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

 

Dharitri – Odisha’s No.1 Odia Daily