ଶ୍ରୀଲଙ୍କାରେ ସୋସିଆଲ ମିଡିଆ ବନ୍ଦ

କଲମ୍ବୋ,୩ା୪: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ମଧ୍ୟରାତ୍ରିରୁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେସବୁକ୍‌, ଟୁଇଟର, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌, ସ୍ନାପ୍‌ଚାଟ୍‌, ଟିକ୍‌ଟକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ସହିତ ଆହୁରି ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରଭାବିତ ହୋଇଛି। ଡିଜେଲ-ପେଟ୍ରୋଲରୁ ଖାଦ୍ୟ ସାମଗ୍ରୀର ଅଭାବ ହେତୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ନେଟବ୍ଲକ୍ସ ଟୁଇଟ୍‌ କରି କହିଛି ଯେ, ରିଅଲ ଟାଇମ ନେଟଓ୍ବାର୍କ ତଥ୍ୟ ଶ୍ରୀଲଙ୍କାରେ ମିଡିଆ ବ୍ଲାକଆଉଟ୍‌ ଦର୍ଶାଉଛି। ବ୍ୟାପକ ବିରୋଧ ମଧ୍ୟରେ ଟୁଇଟର, ଫେସବୁକ୍‌, ହ୍ବାଟ୍ସଆପ୍‌, ୟୁଟ୍ୟୁବ୍‌ ଏବଂ ଇନ୍‌ଷ୍ଟାଗ୍ରାମ କାର୍ଯ୍ୟ କରୁନାହିଁ।

ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଶନିବାର ସକାଳ ୬ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ କର୍ଫ୍ୟୁ ଘୋଷଣା କରାଯାଇଛି।

Share