ସୋସିଆଲ୍ ମିଡିଆ ଉପରେ ବ୍ୟାନ ଲଗାଇବ ଭାରତର ଏହି ରାଜ୍ୟ! ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨ା୧: ସମଗ୍ର ବିଶ୍ୱରେ ସୋସିଆଲ ମିଡିଆ କବଳରେ ଲୋକମାନେ ରୁନ୍ଧି ହୋଇଗଲେଣି। ଯେତେ ଚେଷ୍ଟା କଲେ ମଧ୍ୟ ଏଥିରୁ ଦୁରେଇ ରହିବା ସମ୍ଭବ ହେଉନାହିଁ। ଏହାର ପ୍ରଭାବରେ ବିଶେଷ କରି ସ୍କୁଲ୍, କଲେଜରେ ଥିବା ବିଦ୍ୟାର୍ଥୀମାନଙ୍କର ପାଠପଢା ପ୍ରଭାବିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଅନ୍ଧ୍ରପ୍ରଦେଶ ସରକାର ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗୁ କରିବାକୁ ଚିନ୍ତା କରୁଛନ୍ତି।

ଡାଭୋସ୍‌ରେ ବିଶ୍ୱ ଅର୍ଥନୈତିକ ମଞ୍ଚ (WEF) ଅବସରରେ ରାଜ୍ୟର ଆଇଟି ମନ୍ତ୍ରୀ ନାରା ଲୋକେଶ୍‌ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଲୋକେଶ୍‌ କହିଛନ୍ତି ଯେ, ଅପ୍ରାପ୍ତବୟସ୍କ ପିଲାମାନେ ସୋସିଆଲ୍ ମିଡିଆର ବିଷୟବସ୍ତୁକୁ ସଠିକ୍‌ ଭାବେ ବୁଝିପାରନ୍ତି ନାହିଁ, ତେଣୁ ଏହା ପାଇଁ ଦୃଢ଼ ଆଇନଗତ ବ୍ୟବସ୍ଥା ଆବଶ୍ୟକ। ରାଜ୍ୟ ସରକାର ଅଷ୍ଟ୍ରେଲିଆର ଅଧୀନ-୧୬ ସୋସିଆଲ୍ ମିଡିଆ ଆଇନକୁ ଅଧ୍ୟୟନ କରୁଛି ଏବଂ ସେହି ଆଦର୍ଶରେ ଏକ ଶକ୍ତିଶାଳୀ ଆଇନ ପ୍ରଣୟନ କରିବାକୁ ଚାହୁଁଛି।

ଅଷ୍ଟ୍ରେଲିଆରେ ଡିସେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ଅନୁସାରେ ୧୬ ବର୍ଷରୁ କମ୍‌ ବୟସ୍କ ପିଲାମାନେ ଟିକଟକ୍‌, ଏକ୍ସ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌, ୟୁଟ୍ୟୁବ୍‌ ଓ ସ୍ନାପ୍‌ଚାଟ୍‌ରେ ନୂଆ ଆକାଉଣ୍ଟ୍‌ ଖୋଲିପାରିବେ ନାହିଁ ଏବଂ ପୂର୍ବରୁ ଥିବା ଆକାଉଣ୍ଟ୍‌ଗୁଡ଼ିକୁ ନିଷ୍କ୍ରିୟ କରାଯିବ। ଆଇନ ଉଲ୍ଲଙ୍ଘନ କଲେ ସୋସିଆଲ୍ ମିଡିଆ କମ୍ପାନୀମାନଙ୍କୁ ୩୨ ମିଲିୟନ୍‌ ଡଲାର ପର୍ଯ୍ୟନ୍ତ ଜରିମାନା ହେବ, କିନ୍ତୁ ପିଲା କିମ୍ବା ଅଭିଭାବକଙ୍କ ଉପରେ କୌଣସି ଦଣ୍ଡ ନାହିଁ।

ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଅନ୍ଧ୍ରପ୍ରଦେଶ ଭାରତରେ ଏପରି ନିୟମ ଆଣିବାରେ ପ୍ରଥମ ରାଜ୍ୟ ହେବ। ଟିଡିପି ଜାତୀୟ ମୁଖପାତ୍ର ଦୀପକ୍‌ ରେଡ୍ଡି କହିଛନ୍ତି ଯେ, ଏହା ସରକାରୀ ନିୟନ୍ତ୍ରଣ ନୁହେଁ, ବରଂ ପିଲାମାନଙ୍କୁ ବିଷାକ୍ତ ଓ କ୍ଷତିକାରକ ଅନଲାଇନ୍‌ ବିଷୟବସ୍ତୁରୁ ସୁରକ୍ଷା ଦେବାର ଉଦ୍ଦେଶ୍ୟ।

ଏହି ପଦକ୍ଷେପକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ଚାଲିଛି। ବ୍ରିଟେନରେ ମଧ୍ୟ ସମାନ ନିଷେଧାଜ୍ଞା ପାଇଁ ପ୍ରସ୍ତାବ ଉପରେ ଆଲୋଚନା ହେଉଥିବାବେଳେ, ମଦ୍ରାସ ହାଇକୋର୍ଟ ଗତବର୍ଷ କେନ୍ଦ୍ରକୁ ଅଷ୍ଟ୍ରେଲିଆଭଳି ଆଇନ ଆଣିବାକୁ ପରାମର୍ଶ ଦେଇଥିଲେ। ଏହା ଦ୍ୱାରା ପିଲାମାନଙ୍କର ଡିଜିଟାଲ୍ ସୁରକ୍ଷା ମଜବୁତ ହେବ ବୋଲି ଆଶା କରାଯାଉଛି।

Share