ମଦ୍ୟପାନର ଇତିହାସ ଯେତିକି ପୁରାତନ, ତା’ର ଭୟାବହ ନକାରାମତ୍କ ପରିଣାମ ସହିତ ଆମର ପରିଚିତି ମଧ୍ୟ ସେତିକି ଆଦିମ। ତେବେ ବଡ଼ ବିସ୍ମୟର କଥା ଯେ ଆଜିର ସ୍ବାସ୍ଥ୍ୟ ସଚେତନ ଯୁଗରେ ମଧ୍ୟ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ତାହା ବଢ଼ି ବଢ଼ି ଚାଲିଛି ବୋଲି ସୂଚିତ କରିଛି ସ୍ବାସ୍ଥ୍ୟ ବିଜ୍ଞାନ ପତ୍ରିକା ‘ଲାନସେଟ୍’ ତା’ର ୨୦୨୨ ମସିହାରେ ପ୍ରକାଶିତ ଏକ ରିପୋର୍ଟରେ। ଏଥି ଅନୁଯାୟୀ ପ୍ରତି ୩ ବର୍ଷରେ ଏହା ପ୍ରାୟ ୮ ପ୍ରତିଶତ ବୃଦ୍ଧିପ୍ରାପ୍ତ ହେଉଛି ଏବଂ ଏହି ମଦ୍ୟପଙ୍କ ମଧ୍ୟରୁ ଅଧାରୁ ଅଧିକ ତାହା କରୁଛନ୍ତି ‘ଅତି ବିପଜ୍ଜନକ’ ଭାବେ।
ଇତିମଧ୍ୟରେ କାନାଡାର ଟୋରେଣ୍ଟସ୍ଥିତ ସେଣ୍ଟର ଫର ଆଡିକ୍ଶନ ଏଣ୍ଡ ମେଣ୍ଟାଲ ହେଲ୍ଥ ଏବଂ ଜର୍ମାନୀର ଟେକ୍ନିସ୍ଚେ ୟୁନିଭରସିଟାଟ୍ ଡ୍ରେସଡେନ ମିଳିତ ଭାବେ ବିଶ୍ୱର ୧୮୯ଟି ଦେଶରେ ମଦ୍ୟପାନ ସମ୍ପର୍କରେ ସର୍ବେକ୍ଷଣଟିଏ କରିଛନ୍ତି। ତହିଁରୁ ଜଣାପଡ଼ିଛି ଯେ ୧୯୯୦ ରୁ ୨୦୧୭ ମସିହା ମଧ୍ୟରେ ଏହା ପ୍ରାୟ ୭୦ ଶତାଂଶ ବୃଦ୍ଧି ପାଇଛି। ପୁନଶ୍ଚ ଉଚ୍ଚ ଆୟକାରୀ ଦେଶମାନଙ୍କରେ ଏ ପରିମାଣ ଅପରିବର୍ତ୍ତିତ କିମ୍ବା କମ୍ ହେଲା ବେଳେ ଭାରତ ଭଳି ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଏହା ଅଧିକ ହୋଇଛି। ଉଦାହରଣ ସ୍ବରୂପ ୟୁରୋପରେ ୨୦୧୦ରୁ ୨୦୧୭ ମସିହା ମଧ୍ୟରେ ମୁଣ୍ଡ ପିଛା ବାର୍ଷିକ ମଦ୍ୟପାନ ୧୨ ଶତାଂଶ ହ୍ରାସ ପାଇଛି। କିନ୍ତୁ ତାହା ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ ୩୪ ଶତାଂଶ ବୃଦ୍ଧି ହୋଇଛି। ତେବେ ସାମଗ୍ରିକ ଭାବେ ସାରା ବିଶ୍ୱରେ ସର୍ବାଧିକ ମଦ୍ୟପାନକାରୀ ହୋଇଥିବା ୪୦ରୁ ୬୪ ବର୍ଷୀୟ ଲୋକଙ୍କ ମଧ୍ୟରେ ଏହା ୫.୬୩ ଶତାଂଶ, ୧୫ରୁ ୩୯ ବର୍ଷୀୟଙ୍କ ମଧ୍ୟରେ ୫.୨୮ ଶତାଂଶ ଏବଂ ବୟସ୍କ ଲୋକଙ୍କ ମଧ୍ୟରେ ୨.୮୮ ଶତାଂଶ ହାରରେ ବଢ଼ିଛି। ଏହି ଧାରା ଅବ୍ୟାହତ ରହିଲେ ତଦ୍ଦ୍ବାରା ଗଭୀର ରୂପେ ପ୍ରଭାବିତ ହେବ ଅର୍ଥନୀତି, ଜନସ୍ବାସ୍ଥ୍ୟ ଓ ସମ୍ଭାବ୍ୟ ଆୟୁଷ, ସାମାଜିକ ତଥା ପାରିବାରିକ ଜୀବନ।
ଆମ ଦେଶର ନ୍ୟାଶନାଲ ଫାମିଲି ହେଲ୍ଥ ସର୍ଭେର ଆକଳନ ଅନୁସାରେ ଏଠାର ପ୍ରାୟ ୨୧ ଶତାଂଶ ପୁରୁଷ ଏବଂ ୨ ଶତାଂଶ ନାରୀ ମଦ୍ୟପାନ କରିଥାନ୍ତି। ତେବେ ଚିନ୍ତାର ବିଷୟ ହେଲା, ଆମ ଯୁବଗୋଷ୍ଠୀ ଏଥିପ୍ରତି ଅଧିକରୁ ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି। ଅତଏବ ୧୫ ବର୍ଷ ପୂର୍ବେ ୨୧ ବର୍ଷରୁ କମ୍ ବୟସ୍କଙ୍କ ମଧ୍ୟରେ ଏମାନଙ୍କ ସଂଖ୍ୟା ୨ ଶତାଂଶ ଥିଲାବେଳେ ଏବେ (୨୦୨୩-୨୦୨୪ ମସିହାରେ) ତାହା ପହଞ୍ଚତ୍ୟାଇଛି ୧୪ ଶତାଂଶରେ। ପୁନଶ୍ଚ ବିଗତ ୨୦ ବର୍ଷ ମଧ୍ୟରେ ମଦ୍ୟପାନ ଆରମ୍ଭ କରିବାର ବୟସ ୧୯ ବର୍ଷରୁ ହ୍ରାସ ପାଇଛି ୧୩ ବର୍ଷକୁ। ଅନ୍ୟପକ୍ଷରେ, ଏ କ୍ଷେତ୍ରରେ ନୂତନ ସମସ୍ୟା ସୃଷ୍ଟି କରିଛି ବେଆଇନ ମଦ କାରବାର। ‘ଇଣ୍ଟରନ୍ୟାଶନାଲ ସ୍ପିରିଟ୍ ଆଣ୍ଡ୍ ଓ୍ବାଇନ ଆସୋସିଏଶନ ଅଫ୍ ଇଣ୍ଡିଆ’ ଏଠାରେ ପ୍ରତିବର୍ଷ ବିକ୍ରୟ ହେଉଥିବା ପ୍ରାୟ ୫ ବିଲିୟନ ଲିଟର ମଦରୁ ୪୦ ଶତାଂଶ ବେଆଇନ ଭାବେ ପ୍ରସ୍ତୁତ ହେଉଥିବାର ଆକଳନ କରିଛି। ଅନେକସ୍ଥଳେ ତାହା ଅପମିଶ୍ରିତ ଏବଂ ବିଷାକ୍ତ ହୋଇଥିବାରୁ ୨୦୧୬ରୁ ୨୦୨୦ ମସିହା ମଧ୍ୟରେ ଏହା ୬,୧୭୨ ଲୋକଙ୍କର ପ୍ରତ୍ୟକ୍ଷ ମୃତ୍ୟୁ (ପରୋକ୍ଷ ମୃତ୍ୟୁର ଆକଳନ ସମ୍ଭବ ନୁହେଁ, ତେବେ ତାହା ନିଶ୍ଚୟ ଖୁବ୍ ବେଶି) କାରଣ ହୋଇଥିବାର ଜଣାପଡ଼ିଛି। ନିକଟରେ ପଞ୍ଜାବରେ ବିଷାକ୍ତ ମଦପିଇ ୨୧ ଜଣଙ୍କର ମୃତ୍ୟ ଘଟିଛି। ଭାରତରେ ନିୟମିତ ଭାବେ ଏଭଳି ମୃତ୍ୟୁ ହୋଇଚାଲିଛି।
ଏସବୁ ଦୃଷ୍ଟିରୁ ଦେଶକୁ ମଦମୁକ୍ତ କରିବା ଲାଗି କେତେକ ମହଲରେ ନିୟମିତ ଆନ୍ଦୋଳନ ଚାଲିଛି। ତେବେ ତିନୋଟି ମୁଖ୍ୟ କାରଣ ଦର୍ଶାଇ ସରକାର ଏଥିରୁ ନିବୃତ୍ତ ରହୁଛନ୍ତି। ତନ୍ମଧ୍ୟରୁ ପ୍ରଥମଟି ହେଲା ଅର୍ଥନୈତିକ। କୁହାଯାଉଛି ଯେ ଅନେକ ରାଜ୍ୟର ମଦ ବ୍ୟବସାୟ ହେଉଛି ରାଜସ୍ବ ଆୟର ପନ୍ଥା। ସେହିପରି ଦ୍ୱିତୀୟ କାରଣ ରୂପେ ଉପସ୍ଥାପିତ କରାଯାଉଛି ମଦ୍ୟପାନର ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ। ଶେଷରେ ତୃତୀୟ ଯୁକ୍ତିଟି ହେଲା ମଦ ବିକ୍ରୟ ବନ୍ଦ କରି ଦିଆଗଲେ ଅପମିଶ୍ରିତ ବେଆଇନ ମଦର କାରବାର ବଢ଼ିବ। ତେବେ ବିବିଧ ଅଧ୍ୟୟନରୁ ଏସବୁର ଅସାରତା ପ୍ରମାଣିତ ହେଲାଣି।
ପ୍ରଥମେ ଚାଲନ୍ତୁ ମଦର ଅର୍ଥନୈତିକ ଦିଗ କଥା ବିଚାରକୁ ନେବା-‘ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍ ଡ୍ରଗ୍ ପଲିସି’ର ଜୁଲାଇ ୨୦୧୯ ସଂଖ୍ୟାରେ ସୂଚିତ କରାଯାଇଛି ଯେ ସମଗ୍ର ବିଶ୍ୱରେ ମଦ୍ୟପାନ ସହିତ ସମ୍ପୃକ୍ତ ବିବିଧ କାରଣରୁ ସମୁଦାୟ ଘରୋଇ ଉତ୍ପାଦ ବା ‘ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ’କୁ ଘୋର କ୍ଷତି ପହଞ୍ଚୁଛି, ବିଭିନ୍ନ ଦେଶରେ ଏହା ୦.୪୫ ଶତାଂଶରୁ ପ୍ରାୟ ୫.୪୪ ଶତାଂଶ ପର୍ଯ୍ୟନ୍ତ। ତେବେ ସାମଗ୍ରିକ ଭାବେ ସାରା ବିଶ୍ୱରେ ଏହା ୩.୩ ଶତାଂଶରୁ ଅଧିକ। ସ୍ବାସ୍ଥ୍ୟଜନିତ ସମସ୍ୟା, ସାମାଜିକ ତଥା ଘରୋଇ ହିଂସା ବୃଦ୍ଧି, ଦୁର୍ଘଟଣା ସମ୍ବନ୍ଧରେ ଅବକ୍ଷୟ ଆଦିର ଏଥିକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ମଦର ପ୍ରଚଳନ କଦାପି ଲାଭଜନକ ନୁହେଁ।
ଏବେ ଆସିବା ଜନସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବକୁ । ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁସାରେ ୨୦୧୮-୧୯ରେ ବିଶ୍ୱରେ ମଦ୍ୟପାନଜନିତ ଅକାଳ ମୃତ୍ୟୁ ଘଟିଥିଲା ପ୍ରାୟ ୨.୮ ନିୟୁତ ଲୋକଙ୍କର ଏବଂ ଅକର୍ମଣ୍ୟ ହୋଇଥିଲେ ପ୍ରାୟ ୧୩୬.୬ ନିୟୁତ। ପୁନଶ୍ଚ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ମଧ୍ୟରେ ୧୮.୫ ଶତାଂଶ କର୍କଟ ରୋଗୀ, ୧୪.୬ ଶତାଂଶ ଯକୃତ ପ୍ରଦାହରୋଗୀ ଏବଂ ୩୮.୭ ଶତାଂଶ ବିଭିନ୍ନ କ୍ଷତିଗ୍ରସ୍ତ ରୋଗୀ ହେଉଛନ୍ତି ମାତ୍ରାଧିକ ମଦ୍ୟପାନକାରୀ। ଆମ ଦେଶରେ ଏ ପ୍ରକାର ଅଣ ସଂକ୍ରମଣକାରୀ ରୋଗରେ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଏମାନେ ହେଲେ ଏକପଞ୍ଚମାଂଶ।
କୌଣସି ମାତ୍ରାରେ ମଧ୍ୟ ମଦ୍ୟପାନ ନିରାପଦ ନୁହେଁ। ସ୍ବାସ୍ଥ୍ୟ ଉପରେ ଏହାର କିଛିନା କିଛି କୁପ୍ରଭାବ ରହିଛି। ଏପରିସ୍ଥଳେ ଏହା ଆଦୌ ନ କରିବା ପାଇଁ ନିକଟରେ ଉପଦେଶ ଦେଇଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଅନ୍ୟପକ୍ଷରେ ଆଜକୁ ପ୍ରାୟ ଏକ ଦଶକ ପୂର୍ବେ ଇଣ୍ଟରନ୍ୟାଶନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନ୍ସର ମଦକୁ ଏକ ବିଷାକ୍ତ ତଥା ପ୍ରଥମ ଶ୍ରେଣୀର କର୍କଟ ରୋଗୀକାରୀ ରୂପେ ଘୋଷଣା କରିଥିଲା। ଏହା ଆମ ମସ୍ତିଷ୍କଠାରୁ ଆରମ୍ଭ କରି ଶରୀରର ଅଧିକାଂଶ ଅଙ୍ଗ ପ୍ରତ୍ୟଙ୍ଗର କ୍ରିୟାକଳାପକୁ ପ୍ରଭାବିତ କରେ। ଏଣୁ ଏହାଠାରୁ ଦୂରେଇ ରହିବା ଉଚିତ ବୋଲି ଏହା ମତ ଦେଇଥିଲା।
ମଦ୍ୟପାନର ସାମାଜିକ ତଥା ପାରିବାରିକ ଜୀବନ ଉପରେ ପ୍ରଭାବ ମଧ୍ୟ ବେଶ୍ ଅଧିକ। ବାଙ୍ଗାଲୋରସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋ ସାଇନ୍ସେସ୍ ବା ନିମହାନସ ଦ୍ୱାରା ଅନୁଷ୍ଠିତ ଏକ ସର୍ବେକ୍ଷଣ ଅନୁସାରେ ଏହା ସହରର ନିକଟବର୍ତ୍ତୀ ବସ୍ତିମାନଙ୍କରେ ବାସ କରୁଥିବା ନିମ୍ନ ଆୟକାରୀ ବର୍ଗଙ୍କ ମଧ୍ୟରେ ଅର୍ଦ୍ଧାଧିକ ଲୋକଙ୍କର ଆୟ ତୁଳନାରେ ମଦ୍ୟପାନରେ ବ୍ୟୟ ଅଧିକ। ଏହା ସୃଷ୍ଟି କରୁଥିବା ପାରିବାରିକ ହିଂସା ତଥା ବିବିଧ ଅସାମାଜିକ କାର୍ଯ୍ୟକଳାପର ମୂଲ୍ୟାୟନ କରାଗଲେ ତାହା ନିୟୁତ ନିୟୁତ ଟଙ୍କା ସହିତ ସମାନ ହେବ। ଆମ ଦେଶର କେତେ ଗ୍ରାମାଞ୍ଚଳ ଏବଂ ବହୁ ସହରାଞ୍ଚଳର ଅବସ୍ଥା ସେହି ଏକାପ୍ରକାର। ସୂଚନାଯୋଗ୍ୟ ଯେ ଆମ ରାଜ୍ୟରେ ୧୧ ଶତାଂଶ ଚାକିରି ହରାଇବା, ୧୨ ଶତାଂଶ ସମ୍ପତ୍ତି ହାନି ଘଟିବା ଏବଂ ୪୩ ଶତାଂଶ ପିଲା ଶିକ୍ଷାରୁ ବିରତ ରହିବାର ଏହା ହେଉଛି କାରଣ।
ଆମ ଦେଶର ସମ୍ବିଧାନର ‘ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ’(ଡିରେକ୍ଟିଭ ପ୍ରିନ୍ସପଲସ୍)ରେ ମଦ୍ୟପାନ ନିଷେଧକୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ରହିଛି। ଏହା କରିବା ଦାୟିତ୍ୱ ରାଜ୍ୟମାନଙ୍କର। ତେବେ ରାଜସ୍ବ ହାନିର କାରଣ ଦର୍ଶାଇ ଏହା କରିବାକୁ ସେମାନେ ରାଜି ନୁହନ୍ତି। ଅନ୍ୟପକ୍ଷରେ, ଏ ଯୁକ୍ତିର ଅସାରତା ପ୍ରମାଣିତ ହୋଇଛି ବିହାର ଓ ଗୁଜରାଟ ଭଳି ମଦମୁକ୍ତ ରାଜ୍ୟମାନଙ୍କରେ। ସେହିପରି ମଦ୍ୟପାନ ନିଷେଧ କରାଗଲେ ତଦ୍ଦ୍ବାରା ବେଆଇନ ତଥା ବିଷାକ୍ତ ଅପମିଶ୍ରିତ ମଦର ପ୍ରସାର ଘଟିବ ବୋଲି କରାଯାଉଥିବା ଯୁକ୍ତି ମଧ୍ୟ ନିରାଧାର। ଏହା ରୋକିବାରେ ଅକ୍ଷମତା ସରକାରଙ୍କ ଅପାରଗତା କିମ୍ବା ଅନିଚ୍ଛାକୁ ପ୍ରମାଣିତ କରେ।
ସୂଚନାଯୋଗ୍ୟ ଯେ ବିଗତ ଜାନୁଆରୀ ୩ ତାରିଖ(୨୦୨୫) ଦିନ ଆମେରିକାର ‘ସର୍ଜନ ଜେନେରାଲ୍’ ଡାକ୍ତର ବିବେକ ମୂର୍ତ୍ତି ମଦ ବୋତଲ ଉପରେ ଏହାର ବିଷାକ୍ତ ପରିଣାମଗୁଡ଼ିକ ସମ୍ପର୍କରେ ସୂଚନା ଦେଇ ଜନସଚେତନତା ସୃଷ୍ଟି କରିବାକୁ ତାଙ୍କ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ଏବେ ଦକ୍ଷିଣ କୋରିଆ, ନରଓ୍ବେ, ଥାଇଲାଣ୍ଡ, କାନାଡା ଭଳି କେତେକ ଦେଶରେ ଏହା କରାଯାଉଛି। ପରିଣାମ ସ୍ବରୂପ ସେଠାରେ ମଦ୍ୟପାନ ହ୍ରାସ ପାଉଛି ବୋଲି କୁହାଯାଉଛି। ଏଣୁ ଆମ ସରକାର ବିନା ଦ୍ୱନ୍ଦ୍ୱ ବା ବିବାଦର ସମ୍ମୁଖୀନ ହୋଇ ତାହା କରିପାରନ୍ତେ।
ପ୍ର. ରମେଶ ଚନ୍ଦ୍ର ପରିଡ଼ା
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି,
ଭୁବନେଶ୍ୱର, ମୋ: ୯୯୩୭୩୦୧୪୬୦