କିଛିଦିନ ଧରି ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିବା ବାରମ୍ବାର ରିପୋର୍ଟ ଆସୁଛି, ଯେଉଁ କାରଣରୁ ବିମାନଗୁଡ଼ିକୁ ବାତିଲ କରାଯାଉଛି କିମ୍ବା ସେମାନଙ୍କର ଜରୁରୀକାଳୀନ ଅବତରଣ କରାଯାଉଛି। ଏହି ସମୟରେ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ଚଳିତ ବର୍ଷ ଜୁଲାଇ ୨୧ ସୁଦ୍ଧା ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(DGCA)କୁ ସେମାନଙ୍କର ବିମାନରେ ୧୮୩ଟି ଯାନ୍ତ୍ରିକ ତ୍ରୁଟି ବିଷୟରେ ରିପୋର୍ଟ କରିଥିଲେ। ସରକାରୀ ତଥ୍ୟ ଅନୁଯାୟୀ, ଏୟାର ଇଣ୍ଡିଆ ଗ୍ରୁପ ସବୁଠାରୁ ଆଗରେ ରହିଛି। ଏହାର ୮୫ଟି ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଛି।
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମୁରଲୀଧର ମୋହୋଲ ଗୁରୁବାର(ଜୁଲାଇ୨୪) ଲୋକ ସଭାରେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଇଣ୍ଡିଗୋ ଏବଂ ଆକାଶ ଏୟାରଲାଇନ୍ସ ଯଥାକ୍ରମେ ୬୨ ଏବଂ ୨୮ଟି ତ୍ରୁଟି ରିପୋର୍ଟ କରିଛନ୍ତି, ଯେତେବେଳେ ସ୍ପାଇସ୍ଜେଟ୍ ୮ଟି ତ୍ରୁଟି ରିପୋର୍ଟ କରିଛି। ସେ କହିଛନ୍ତି, ଏପରି ତ୍ରୁଟିର କଡ଼ା ଯାଞ୍ଚ ଏବଂ ତୁରନ୍ତ ସଂଶୋଧନମୂଳକ ପଦକ୍ଷେପ ଆବଶ୍ୟକ।
ଏହାସହିତ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଯଥାକ୍ରମେ ୮୫ଟି ଯାନ୍ତ୍ରିକ ତ୍ରୁଟି ରିପୋର୍ଟ କରିଛନ୍ତି। ଯାହା ସର୍ବାଧିକ। ଏହି ସମସ୍ତ ସଂଖ୍ୟା ଚଳିତ ବର୍ଷ ୧ ଜାନୁଆରୀରୁ ୨୧ ଜୁଲାଇ ପର୍ଯ୍ୟନ୍ତ।
ଏହାସହିତ ଯଦି ଆମେ ଗତ କିଛି ବର୍ଷର ତଥ୍ୟ ଉପରେ ନଜର ପକାଇବା, ତେବେ ୨୦୨୪ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୪୨୧ ଥିଲା, ଯାହା ୨୦୨୩ରେ ରିପୋର୍ଟ ହୋଇଥିବା ୪୪୮ ତୁଳନାରେ କମ୍ ଥିଲା। ୨୦୨୨ରେ ରିପୋର୍ଟ ହୋଇଥିବା ଯାନ୍ତ୍ରିକ ତ୍ରୁଟି ସଂଖ୍ୟା ୫୨୮ ଥିଲା। ଏହି ତିନି ବର୍ଷର ତଥ୍ୟରେ ଆଲାଏନ୍ସ ଏୟାର ଏବଂ ପୂର୍ବ ଭିସ୍ତାରାର ସଂଖ୍ୟା ମଧ୍ୟ ଅନ୍ତର୍ଭୁକ୍ତ। ୨୦୨୧ରେ ବିମାନରେ ଯାନ୍ତ୍ରିକ ତ୍ରୁଟି ରିପୋର୍ଟ ସଂଖ୍ୟା ୫୧୪ ଥିଲା। ସେତେବେଳେ ଆକାଶ ଏୟାର କାର୍ଯ୍ୟ ଆରମ୍ଭ କରିନଥିଲା।
ବିମାନ ସଂସ୍ଥା ଦ୍ୱାରା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)କୁ ରିପୋର୍ଟ କରାଯାଇଥିବା ସମସ୍ତ ତ୍ରୁଟିର ତଦନ୍ତ କରାଯିବା ଆବଶ୍ୟକ ଯାହା ଦ୍ୱାରା ଉପଯୁକ୍ତ ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଲିଖିତ ଉତ୍ତରରେ କହିଛନ୍ତି, ସମସ୍ତ ତ୍ରୁଟି, ବିଶେଷକରି ପ୍ରମୁଖ ତ୍ରୁଟିର ତଦନ୍ତ ଶୀଘ୍ର ସମାପ୍ତ ହେବା ଉଚିତ ଯାହା ଦାରା ପ୍ରତିରୋଧକ/ସଂଶୋଧନମୂଳକ କାର୍ଯ୍ୟାନୁଷ୍ଠାନ ଯଥାଶୀଘ୍ର ଗ୍ରହଣ କରାଯାଇପାରିବ। ଡିଜିସିଏଙ୍କ ସହଯୋଗରେ ଅପରେଟର ବିମାନରେ ତ୍ରୁଟିର ତଦନ୍ତ କରନ୍ତି। ଭବିଷ୍ୟତରେ ଏପରି ଘଟଣା ରୋକିବା ଏବଂ ସମାଧାନକୁ ତ୍ୱରାନ୍ବିତ କରିବା ପାଇଁ ଡିଜିସିଏଙ୍କ ସହ ମିଳିତ ପ୍ରୟାସ କରାଯାଉଛି।