ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଶୁକ୍ରବାର ଦିତୀୟ ଦିନ ମଧ୍ୟ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ କରି କଫିବଗିଚା, କଲେଜ ପଡିଆ, ପେଟ୍ରୋଲଟାଙ୍କି ସାହି, ବଡ଼ିପଦର, ଶ୍ରୀପଙ୍କା, ସମେତ ସିମନବାଡି, ଶ୍ରାନିକେତା, କିରିକୁଟି, ତିଲୋରୀ, ବାଡାବାଙ୍ଗା, ଦାସିଙ୍ଗବାଡି, ସୋନପୁର, ସିଆଙ୍ଗବାଲି, ଭ୍ରମରବାଡ଼ି ପଞ୍ଚାୟତ ଆଦି ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଛି । ଏବେ ଶୀତ ଯେମିତି ଦାଉ ସାଧୁଛି । ଦାରିଙ୍ଗବାଡି ଅଞ୍ଚଳରେ ଦିନକୁ ଦିନ ଶୀତର ଲହରୀ ଅଞ୍ଚଳବାସୀଙ୍କ ପାଇଁ ଅସହ୍ୟ, ଅସମ୍ଭାଳ ହେବାରେ ଲାଗିଛି । ଦିନ ଓ ରାତି ଶୀତ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ନଇଁ ଆସିବା ପରଠାରୁ ପରଦିନ ସକାଳ ୧୦ ଟା ପର୍ଯ୍ୟନ୍ତ ଅସହ୍ୟ ଜାଡ଼ ଅସ୍ତବ୍ୟସ୍ତ କରିପକାଉଛି। ଶ୍ରମିକ ହୁଅନ୍ତୁ କି ସରକାରୀ ଓ ବେସରକାରୀ କର୍ମଚାରୀ ସଠିକ୍‌ ସମୟରେ ନିଜ କାମଧନ୍ଦା ପାଇଁ ଯିବା ମୁସ୍କିଲ ହୋଇପଡିଛି । ଏବେ ଖରା ଓ ନିଆଁ ଆଗ ଅପେକ୍ଷା ଅଧିକା ଜରୁରୀ ହୋଇପଡିଛି। କାମଧନ୍ଦା ନଥିଲେ ସକାଳ ସମୟରେ ଲୋକ ଘରୁ ବାହାରୁନଥିବା ବେଳେ ସନ୍ଧ୍ୟା ହେବାକ୍ଷଣି ରାସ୍ତାଘାଟ, ବଜାର ଜନ ଶୂନ୍ୟ ହୋଇପଡୁଛି । ଖାଁ ଖାଁ ହୋଇଯାଉଛି ଗାଁ ଦାଣ୍ଡ । ଯଦି ଆଭ୍ୟନ୍ତରୀଣ ଅଞ୍ଚଳ କଥା ଦେଖାଯିବ ସେଠି ଗୋଟିଏ ଦୃଶ୍ୟ ସବୁଠି ଲୋକମାନେ ନିଆଁ ଲଗାଇ ବସୁଥିବା ଦେଖିବାକୁ ମିଳିଛି । ବୃଦ୍ଧାବୃଦ୍ଧଙ୍କ ଅବସ୍ଥା ଅତି ଶୋଚନୀୟ । ସେମାନଙ୍କ ପାଇଁ ଶୀତକୁ ସମ୍ଭାଳିବା ବହୁତ କଷ୍ଟ ହୋଇପଡିଛି । ତେବେ ପର୍ଯ୍ୟଟକ ଶୀତର ମଜା ନେବାକୁ ଦୈନିକ ହଜାର ସଂଖ୍ୟାରେ ଦାରିଙ୍ଗବାଡିରେ ଭିଡ଼ ଜାମଉଛନ୍ତି । ଆଗକୁ ରବିବାର ପର୍ଯ୍ୟନ୍ତ ସମସ୍ତ ହୋଟେଲ, ଲଡଜ ଗୁଡିକ ଆଗୁଆ ବୁକିଂ ସରିଗଲାଣି ବୋଲି ହୋଟେଲ ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁ କହିଛନ୍ତି ।

 

Dharitri – The Largest & Most Trusted Odia Daily