କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ ତ ଆଉ କାହାକୁ ଟଙ୍କା ରୋଜଗାର କରିବା ପସନ୍ଦ। ହେଲେ ଦୁନିଆରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ବହୁତ ଅଜବ। ତାଙ୍କ ବିଷୟରେ ଜାଣିଲେ ଲୋକେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଠିକ୍ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହେଉଛି। ଭିଡିଓଟିକୁ ଦେଖିଲେ ଆପଣ ବି କହିବେ ‘ସଉକ ଭାରି ବଡ଼ କଥା’।
ସାଧାରଣତଃ ସାପର ନାଁ ଶୁଣିଲେ ଡର ଲାଗିଥାଏ। ଆଖପାଖରେ କେବେ ସାପ ନଜର ଆସିଲେ ସେଠାରୁ ଦୌଡ଼ି ପଳାଇବା ଛଡ଼ା ଅନ୍ୟୋପାୟ ନ ଥାଏ। ହେଲେ ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ସାପକୁ ଗୁଡ଼ାଇ ମୁଣ୍ଡରେ ଖୋସା କରିଥିବା ଦେଖାଯାଇଛି। ସେହିଭଳି ଅବସ୍ଥାରେ ସେ ଶପିଂ ମଲରେ ପହଞ୍ଚୁଛନ୍ତି। ଭୟ ତ ଦୂରର କଥା, ସେ ବେଶ ଆରାମରେ ସେଠାରେ କିଣାକିଣି କରୁଛନ୍ତି। କେହି ଜଣେ ମହିଳାଙ୍କୁ ଦେଖିବା ପରେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଏବେ ତାହା ଭାଇରାଲ ହେବାରେ ଲାଗିଛି।
ଇନ୍ଷ୍ଟାଗ୍ରାମରେ ‘snakes.mania’ ନାମକ ଆକାଉଣ୍ଟରୁ ଏହାକୁ ଶେୟାର କରାଯାଇଛି। ଭିଡିଓକୁ ଇତି ମଧ୍ୟରେ ହଜାର ହଜାର ସଂଖ୍ୟାର ଲୋକ ଦେଖିସାରିଲେଣି। କେହି କେହି ଏହାକୁ ଦେଖି ବିଶ୍ୱାସ ହେଉନାହିଁ ବୋଲି ମଧ୍ୟ ମନ୍ତବ୍ୟ ଦେଉଛନ୍ତି।