ଦଶମନ୍ତପୁର,୧ା୯(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନ ଲୁଲ୍ଲା ପଞ୍ଚାୟତ ପଦୁଗୁଡ଼ା ଗଁାରେ ସାପ କାମୁଡ଼ାରେ ଗୁରୁତର ଯୁବକଙ୍କୁ ଗ୍ରାମବାସୀ ଖଟିଆରେ ୩ କି.ମି. ଯାଏ ବୋହି ଚିକିତ୍ସାଳୟକୁ ନେଇଥିବା ସୋମବାର ଦେଖିବାକୁ ମିଳିଛି। ଗୁରୁତର ହେଲେ ସାରଥୀ ସାଉଁନ୍ତାଙ୍କ ପୁଅ ନବୀନ ସାଉଁନ୍ତା(୩୦)।
ସୂଚନା ଅନୁଯାୟୀ, ନବୀନ ସୋମବାର ସକାଳୁ ଗଁାଠାରୁ ଅଧ କି.ମି. ଦୂର ଅଜାଘାଟ ପାହାଡ଼କୁ ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ହାତ ପାପୁଲିକୁ ଏକ ସାପ ଚୋଟ ମାରିଥିଲା। ସେ ଚିତ୍କାର କରିବାରୁ ଅନ୍ୟ ଗାଈ ଜଗୁଆଳିମାନେ ଆସି ଘଟଣା ସମ୍ପର୍କରେ ତାଙ୍କ ବାପାଙ୍କୁ ଜଣାଇଥିଲେ। ପୁଅକୁ ବଞ୍ଚାଇବା ପାଇଁ ନବୀନଙ୍କ ବାପା ଗଁାର ଗୋବିନ୍ଦ ସାଉଁନ୍ତା, କ୍ରିଷ୍ଣା ସାଉଁନ୍ତା ଓ ରୁଦ୍ର ସାଉଁନ୍ତାଙ୍କ ସହାୟତାରେ ରାସ୍ତା ଶୋଚନୀୟ ଥିବାରୁ ଗଁାଠାରୁ ୩ କି.ମି. ଦୂର ଲୁଲ୍ଲା ଗଁା ଛକ ଯାଏ ଖଟିଆରେ ବୋହି ନେଇଥିଲେ।
ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ସୁଦ୍ଧା ୧ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସି ନ ଥିଲା। ପରେ ଗଁାର ସୁବାଷ ବିଷୋୟୀ ନାମକ ଜଣେ ବ୍ୟକ୍ତିଙ୍କ ଅଟୋରେ ଲୁଲ୍ଲାଠାରୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନବୀନଙ୍କୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ରିପୋର୍ଟ ଆସିବା ପରେ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ କି ନାହିଁ ଜଣାପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଗ୍ରାମରେ ୮୫ରୁ ଊର୍ଦ୍ଧ୍ୱ ଆଦିବାସୀ ସମ୍ପ୍ରଦାୟ ବସବାସ କରୁଥିବା ବେଳେ ଗ୍ରାମକୁ ଆବଶ୍ୟକ ରାସ୍ତା ନ ଥିବା ସୂଚନା ମିଳିଛି। ଗଁାର ଅବସ୍ଥାକୁ ନେଇ ଦୀର୍ଘ ବର୍ଷ ପୂର୍ବେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ୍ ଏବଂ ରାଜନୈତିକ ନେତା ଯାଏ ଲିଖିତ ଓ ମୌଖିକ ଭାବେ ଅଭିଯୋଗ ହେବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ କହିଛନ୍ତି।