Categories: Home Middleଖେଳ

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ ଫେରିଛନ୍ତି। ନିକଟରେ ସଂଗୀତ ନିର୍ଦ୍ଦେଶକ ପଲାଶ ମୁଚ୍ଛଲଙ୍କ ସହ ତାଙ୍କର ବିବାହ ଭାଙ୍ଗିଯିବା ନେଇ ସେ ଓ ପଲାଶ ଉଭୟ ସୋସିଆଲ ମିଡିଆରେ ଘୋଷଣା କରିଥିଲେ। ଏହାପରେ ସ୍ମୃତିଙ୍କର ଏହା ପ୍ରଥମ ସାର୍ବଜନୀନ ଉପସ୍ଥିତି।

ବୁଧବାର ଏକ କାର୍ଯ୍ୟକ୍ରମରେ ଅଧିନାୟକ ହରମନପ୍ରୀତ କୌରଙ୍କ ସହ ଯୋଗ ଦେଇଥିବା ସ୍ମୃତି ମନ୍ଧନା ତାଙ୍କର ମାନସିକତା ଉପରେ କହିଥିଲେ, “ସତ କହିବାକୁ ଗଲେ, ହରମନ କହିଲା ଭଳି, ଖେଳ ପ୍ରତି ମୋର ଯେଉଁ ଭଲ ପାଇବା ଅଛି, ମୁଁ ଭାବୁନି ଜୀବନରେ କ୍ରିକେଟ୍ ଠାରୁ ବଳି ମୁଁ ଆଉ କାହାକୁ ବେଶୀ ଭଲ ପାଏ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଜଣେ ଭାରତୀୟ ଜର୍ସି ପିନ୍ଧି ମଇଦାନକୁ ଯାଏ, ତାଙ୍କ ମନରେ ଅନ୍ୟ କୌଣସି ଚିନ୍ତା ନଥାଏ। ଦେଶକୁ ପ୍ରତିନିଧିତ୍ୱ କରି ମ୍ୟାଚ୍ ଜିତିବା ହିଁ ଏକମାତ୍ର ଲକ୍ଷ୍ୟ ହୋଇଥାଏ। “ଆପଣଙ୍କ ସମସ୍ୟାକୁ ଏଡ଼ାଇ ଦେଇ ଖେଳ ପଡିଆରେ ରହିବାକୁ ପଡ଼େ, କାରଣ ଆପଣ ଦୁଇ ବିଲିୟନ ଲୋକଙ୍କ ମଧ୍ୟରେ ଜଣେ, ଯିଏ ଦେଶକୁ ପ୍ରତିନିଧିତ୍ୱ କରୁଛନ୍ତି,” ସ୍ମୃତି କହିଛନ୍ତି।

ନିକଟରେ ଶେଷ ହୋଇଥିବା ମହିଳା ବିଶ୍ୱକପ୍‌ରେ ଭାରତ ବିଜୟୀ ହେବାରେ ସ୍ମୃତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଡିସେମ୍ବର ୨୧ରୁ ଆରମ୍ଭ ହେବାକୁ ଥିବା ଶ୍ରୀଲଙ୍କା ବିପକ୍ଷ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ତାଙ୍କୁ ଭାରତୀୟ ଦଳର ଉପ-ଅଧିନାୟକ ଭାବରେ ମନୋନୀତ କରାଯାଇଛି।