Categories: Home Leftଖେଳ

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟି-୨୦) ମିଶାଇ ୧୦,୦୦୦ ରନ୍ ପୂରଣ କରିଛନ୍ତି। ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ଚତୁର୍ଥ ମହିଳା ଖେଳାଳି ହୋଇଛନ୍ତି।

ପୂର୍ବରୁ ମାତ୍ର ତିନିଜଣ ମହିଳା କ୍ରିକେଟର ଏହି ଗୌରବ ହାସଲ କରିଥିଲେ। ଭାରତର ମିତାଲି ରାଜ ୧୦,୮୬୮ ରନ୍, ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ନ୍ୟୁଜିଲ୍ୟାଣ୍ଡ ୧୦,୬୫୨ ରନ୍, ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସ ୧୦,୨୭୩ ରନ୍, ଏବଂ ବର୍ତମାନ ଭାରତର ସ୍ମୃତି ମନ୍ଧାନା ୧୦,୦୦୦+ ରନ୍ କରି ଖେଳିବା ଜାରି ରଖିଛନ୍ତି।

ଏହି ମ୍ୟାଚ୍ ପୂର୍ବରୁ ସ୍ମୃତିଙ୍କୁ ୧୦ ହଜାର ରନ୍ ପୂରଣ ପାଇଁ ମାତ୍ର ୨୭ ରନ୍ ଆବଶ୍ୟକ ଥିଲା। ସେ ମାତ୍ର ୪୮ ବଲ୍‌ରୁ ୮୦ ରନ୍‌ର (୧୧ ଚୌକା ଓ ୩ ଛକା) ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।

ସ୍ମୃତି ମାତ୍ର ୨୮୧ଟି ମ୍ୟାଚ୍‌ ଖେଳି ଏହି ସଫଳତା ପାଇଛନ୍ତି, ଯାହା ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ (୨୯୧ ମ୍ୟାଚ୍) ତୁଳନାରେ ଦ୍ରୁତତମ।

୨୦୨୫ ବର୍ଷଟି ସ୍ମୃତିଙ୍କ ପାଇଁ ବେଶ ସଫଳ ରହିଛି। ସେ ଏହି ବର୍ଷ ଦିନିକିଆରେ ସର୍ବାଧିକ ୧୩୬୨ ରନ୍ ସଂଗ୍ରହ କରିବା ସହ ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।