ଶୋଇଥିଲେ ସାନ ଭାଇ ଗଳା କାଟିଦେଲେ ବଡ଼: ଆଉ ତା’ପରେ…

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ବବକରପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବଡ଼ ଭାଇ ମାରଣାସ୍ତ୍ର ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟକୁ ନେଇଥିଲେ। ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ବୋଲି ବାପା କାଳନ୍ଦୀ ସାହୁ କହିଛନ୍ତି। ପୋଲିସ ଘଟଣାସ୍ଥଳରେ ବିଳମ୍ବିତ ରାତିରେ ପହଞ୍ଚି ବଡ଼ ଭାଇ ରଞ୍ଜନ ସାହୁଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।
ସୂଚନାଯୋଗ୍ୟ, ବୁଧବାର ଏହି ଗ୍ରାମର କାଳନ୍ଦୀ ସାହୁ ରାତିରେ ଖାଇ ପିଇ ଶୋଇଥିବା ବେଳେ ହଠାତ୍‌ ପ୍ରାୟ ୧୦ଟାରେ ଆରପାଖ ଘରୁ ଚିତ୍କାର ଶୁଭିଥିଲା। ପରେ ଉଠି ଦେଖିବା ବେଳକୁ ସାନ ପୁଅ ଗଗନ ସାହୁଙ୍କ ବେକ କଟିଯାଇଛି। ଘଟଣାସ୍ଥଳରୁ ବଡ଼ ପୁଅ ରଞ୍ଜନ ଦୌଡ଼ି ପଳାଇଥିଲେ। ଗଗନଙ୍କର ପ୍ରବଳ ରକ୍ତସ୍ରାବ ଦେଖି ଗଁାର କେତେଜଣ ଯୁବକ ଏକ ଅଟୋ ଯୋଗେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲ ଆଣିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ବାପା କାଳନ୍ଦୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, ୨ ଦିନ ପୂର୍ବରୁ ବଡ଼ ପୁଅ ରଞ୍ଜନ ସାନ ପୁଅ ଗଗନଙ୍କୁ କୌଣସି କାରଣକୁ ନେଇ ହାଣିବ ବୋଲି କହିଥିଲେ। ଅପରପକ୍ଷରେ ମହାକାଳପଡ଼ା ପୋଲିସ ଘଟଣାସ୍ଥଳରୁ ରଞ୍ଜନଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଓ କେନ୍ଦ୍ରାପଡ଼ାରୁ ଏକ ସାଇଣ୍ଟଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପରିବାର ଲୋକଙ୍କୁ ପଚରା ଉଚୁରା ଚଳାଇଛନ୍ତି। ଏ ନେଇ ନମ୍ବର ୨୮୨/୨୫ ମାମଲା ରୁଜୁ କରାଯାଇଛି। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ର ଙ୍କୁ ପଚାରିବାରୁ ତଦନ୍ତ ପରେ ଆକ୍ରମଣକର କାରଣ ଜଣା ପଡ଼ିବ ବୋଲି କହିଛନ୍ତି।