Categories: Home Leftଖେଳ

ଚାଣ୍ଡିମଲଙ୍କ ଅପରାଜିତ ଶତକ: ୬୭ ରନ୍‌ରେ ଶ୍ରୀଲଙ୍କା ଆଗୁଆ

ଗାଲେ,୧୦ା୭ : ଗାଲେରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬୭ ରନ୍‌ର ଆଗରେ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୬୪ ରନ୍‌ କରିଥିଲା। ଜବାବରେ ଶ୍ରୀଲଙ୍କା ପକ୍ଷରୁ ପୂର୍ବତନ ଉଇକେଟ୍‌କିପର ଦୀନେଶ ଚାଣ୍ଡିମଲ ଅପରାଜିତ ଶତକ ହାସଲ କରିଥିବା ବେଳେ ଆଞ୍ଜେଲୋ ମାଥ୍ୟୁସ୍‌ ଏବଂ କାମିନ୍ଦୁ ମେଣ୍ଡିସ୍‌ ଅର୍ଦ୍ଧଶତକ କରିଥିଲେ। ଚାଣ୍ଡିମଲ ଅପରାଜିତ ୧୧୮ ରନ୍‌ କରିଥିବା ବେଳେ ମାଥ୍ୟୁସ୍‌ (୫୨) ଓ ଡେବ୍ୟୁଟାଣ୍ଟ କାମିନ୍ଦୁ(୬୧) ତାଙ୍କୁ ସହଯୋଗ କରିଥିଲେ। ୨୩୨ ବଲ୍‌ ଖେଳିଥିବା ଚାଣ୍ଡିମଲ୍‌ ୯ଟି ଚୌକା ଓ ୧ ଛକା ସହିତ ୧୧୮ ରନ୍‌ରେ ବ୍ୟାଟିଂ କରୁଛନ୍ତି।
ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୧୮୪/୨ରୁ ଖେଳ ଆରମ୍ଭ କରିଥିଲା ଶ୍ରୀଲଙ୍କା। ଅପରାଜିତ ବ୍ୟାଟ୍ସମ୍ୟାନ କୁଶାଲ ମେଣ୍ଡିସ୍‌ ପୂର୍ବଦିନର ସ୍କୋରରେ ମାତ୍ର ୧ ରନ୍‌ ଯୋଡ଼ି ନାଥନ ଲିୟନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ତେବେ ଆଞ୍ଜେଲୋ ମାଥ୍ୟୁସଙ୍କ ସହ ଯୋଗଦେଇ ଇନିଂସ ଆଗକୁ ବଢ଼ାଇଥିଲେ ଚାଣ୍ଡିମଲ। ଦଳୀୟ ସ୍କୋର ୨୬୯ ରନ୍‌ରେ ନିର୍ଭରଯୋଗ୍ୟ ମାଥ୍ୟୁସ ପ୍ୟାଭିଲିୟନ୍‌ ଫେରିଥିଲେ। ୧୧୭ ବଲ୍‌ ଖେଳି ମାଥ୍ୟୁସ୍‌ ୪ ଚୌକା ସହିତ ୫୨ ରନ୍‌ କରି ଷ୍ଟାର୍କଙ୍କ ଶିକାର ହୋଇଥିଲେ। ତେବେ ପଦାର୍ପଣକାରୀ କାମିନ୍ଦୁ ୬୧ ରନ୍‌ର ଇନିଂସ ଖେଳିଥିବା ବେଳେ ଉଇକେଟ୍‌ କିପର ନିରୋଶାନ ଡିକ୍‌ଓ୍ବେଲା ମାତ୍ର ୫ ରନ୍‌ କରି ଲିୟନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ତେବେ ରମେଶ ମେଣ୍ଡିସ୍‌(୭)ଙ୍କ ସହ ଶେଷ ପର୍ଯ୍ୟନ୍ତ ଚାଣ୍ଡିମଲ୍‌ ବ୍ୟାଟିଂ କରିଥିଲେ । ତୃତୀୟ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୪୩୧ ରନ୍‌ କରିଛି। ଫଳରେ ଦଳ ୬୭ ରନ୍‌ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ, ନାଥନ୍‌ ଲିୟନ୍‌ ଏବଂ ମିଚେଲ୍‌ ସ୍ବେପ୍‌ସନ ଦୁଇଟି ଲେଖାଏ ଉଇକେଟ ନେଇଛନ୍ତି।