ଭୁବନେଶ୍ୱର,୫।୩ (ଅନୁରାଧା ମହାରଣା): ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଭାରତୀୟ କମ୍ପାନୀଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଫାଇଦା ନେବାକୁ ବଡ଼ କମ୍ପାନୀଗୁଡ଼ିକ ଠିକ୍ ଏଆଇ କୌଶଳ ଏବଂ ଆନୁଷଙ୍ଗିକ ଦକ୍ଷତାପୂର୍ଣ୍ଣ କର୍ମଚାରୀ ଖୋଜିବା କଷ୍ଟ ହୋଇପଡ଼ିଛି। ଏହା କମ୍ପାନୀଗୁଡିକ ପାଇଁ ଏକ ବଡ ସମସ୍ୟା ଭାବେ ଉଭାହୋଇଛି। ନିଯୁକ୍ତି ନେଟ୍ୱର୍କିଂ ସାଇଟ ଲିଙ୍କ୍ଡଇନ ରିପୋର୍ଟରେ ଏପରି ତଥ୍ୟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୫୪% ଏଚ୍ଆର୍ ପ୍ରଫେସନାଲ କହିଛନ୍ତି, ଚାକିରି ଆବେଦନକାରୀଙ୍କ ମଧ୍ୟରୁ କେବଳ ଅଧା ବା ତା’ଠାରୁ କମ୍ ଆବେଦନକାରୀ ସମସ୍ତ ଆବଶ୍ୟକ ଯୋଗ୍ୟତା ପୂରଣ କରିଥା’ନ୍ତି। ଠିକ୍ ବୈଷୟିକ ଦକ୍ଷତା (୬୧%) ଏବଂ ସଫ୍ଟ ସ୍କିଲ୍ (୫୭%) ସହିତ ପ୍ରାର୍ଥୀ ଖୋଜିବା ଏଚ୍ଆର୍ ପ୍ରଫେସନାଲମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ଭାରତରେ ସବୁଠାରୁ କଷ୍ଟସାଧ୍ୟ କୌଶଳ ହେଉଛି ବୈଷୟିକ / ଆଇଟି ଦକ୍ଷତା ଯେପରିକି ସଫ୍ଟୱେର ବିକାଶ, ଇଞ୍ଜିନିୟରିଂ (୪୪%), ଏଆଇ କୌଶଳ (୩୪%) ଏବଂ ଯୋଗାଯୋଗ ଏବଂ ସମସ୍ୟା ସମାଧାନ (୩୩%)। ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଏହି ଅଭାବ କମ୍ପାନୀଗୁଡ଼ିକୁ ସେମାନଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଧିକ ମନୋନୀତ ହେବାକୁ ବାଧ୍ୟ କରୁଛି। ରିପୋର୍ଟ ଅନୁଯାୟୀ, କମ୍ପାନୀଗୁଡିକ ମୁଖ୍ୟତଃ ୨୦୨୫ ମସିହାରେ ‘ଚୟନକାରୀ ନିଯୁକ୍ତି’ ପଦ୍ଧତି ଗ୍ରହଣ କରୁଛନ୍ତି। ଚୟନକାରୀ ନିଯୁକ୍ତି ହେଉଛି ସଂଗଠନର ଆବଶ୍ୟକତା ପାଇଁ ଉପଯୁକ୍ତ ଯୋଗ୍ୟତା ଥିବା ଠିକ୍ ଲୋକଙ୍କୁ ନିଯୁକ୍ତି ଏବଂ ଚୟନ କରିବାର ପ୍ରକ୍ରିୟା। ଏହି ରିପୋର୍ଟରେ କୁହାଯାଇଛି, ଭାରତରେ ଅର୍ଦ୍ଧେକ ଏଚ୍ଆର୍ ପ୍ରଫେସନାଲ (୫୫%) ଏବଂ ନିଯୁକ୍ତି (୫୪%) କେବଳ ସେହି ପ୍ରାର୍ଥୀଙ୍କ ପାଇଁ ବିଚାରକରିବେ ଯେଉଁମାନେ ଚାକିରି ପାଇଁ ଧାର୍ଯ୍ୟ ଯୋଗ୍ୟତାର ୮୦% କିମ୍ବା ତା’ଠାରୁ ଅଧିକ ପୂରଣ କରିବେ।