ସ୍କେଟିଂ କରୁଛି ବୁଲ୍‌ଡଗ୍‌

କିଛି ପେଟ୍‌ ଅଜବ ଟ୍ରିକ୍‌ସବୁ କରି ଭାଇରାଲ ହେଉଥିବା ସୋସିଆଲ ମିଡିଆରେ ଦେଖିଥିବେ। ସେମାନଙ୍କର ସେହି ଟ୍ରିକ୍‌ସବୁ ଦେଖି ଆଶ୍ଚର୍ଯ୍ୟ ଲାଗେ ଯେ, ଆମେ ମଣିଷ ହୋଇ ଯେଉଁକାମ କରିପାରୁନେ ଏଇ ପେଟ୍‌ମାନେ କିପରି କରିପାରୁଛନ୍ତି। ଏଇ ଯେମିତି ସ୍କେଟିଂ କରି ଏକ ବୁଲ୍‌ଡଗ୍‌ ଏବେ ଇଣ୍ଟରନେଟ୍‌ ସନସେସନ୍‌ ପାଲଟିଯାଇଛି। ଆମେରିକା, ଓ୍ବାଶିଂଟନ୍‌ର ଫକ୍ସ ଆଇଲାଣ୍ଡରେ ରହୁଥିବା ଜେମି ଡେଲପରଡାଙ୍ଗଙ୍କର ଏ ହେଉଛି ପେଟ୍‌, ଯାହାର ନାଁ ‘ଚାଡର୍‌’। ଚାଡର୍‌୍‌ର ସ୍କେଟିଂ ସ୍କିଲ ଦେଖି ସ୍କେଟର୍‌ମାନେ ବି ଚକିତ ହୋଇଯାଆନ୍ତି। ୯ ବର୍ଷ ବୟସର ଚାଡର୍‌ର ସ୍କେଟିଂ ଦେଖି ଅନେକେ କୁହନ୍ତି ସେ ନିଶ୍ଚିତଭାବେ କୌଣସି ସ୍କେଟର୍‌ର ପୁନର୍ଜନ୍ମ। ଡେଲପରଡାଙ୍ଗ ଦମ୍ପତି ଚାଡର୍‌କୁ ଏକ ବ୍ରିଡର୍‌ଠାରୁ ଆଣିଥିଲେ। ଥରେ ଚାଡର୍‌କୁ ନେଇ ଏହି ଦମ୍ପତି ବିଚ୍‌କୁ ଯାଇଥାନ୍ତି। ସେଠି ହଠାତ୍‌ ଚାଡର୍‌ ଏକ ପିଲାର ସ୍କେଟ୍‌ ବୋର୍ଡରେ ଖେଳିବାକୁ ଆରମ୍ଭ କଲା। ଆଉ ସେ ବହୁତ ଖୁସି ବି ଥିଲା। ଏ ଘଟଣା ପରେ ଡେଲପରଡାଙ୍ଗ ଦମ୍ପତି ଚାଡର୍‌ ପାଇଁ ଏକ ସ୍କେଟ୍‌ ବୋର୍ଡ ଆଣିଦେଲେ। ଆଉ ଖୁବ୍‌ ଶୀଘ୍ର ସେ ଏଥିରେ ଖେଳିବା ଓ ସ୍କେଟିଂ କରିବା ଆରମ୍ଭ କରିଦେଲା। ସେ ସ୍କେଟିଂ ଏତେ ମନଧ୍ୟାନ ଦେଇ କରେ ଯେ, ଯଦି ଭଲ ନ କରିପାରେ ମନ ଦୁଃଖ କରେ। ଆଉ ଯଦି ଭଲରେ କରିଦିଏ ଖୁସି ହେଇଯାଏ। ଏବେ ଚାଡର୍‌ର ୨୦ଟି ସ୍କେଟ ବୋର୍ଡ ଅଛି। ସେ ସ୍କେଟିଂ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେଉଛି।