ନୂଆଦିଲ୍ଲୀ,୨।୨: କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ କୌଣସି ବଡ଼ ଧରଣର ରିହାତି ମିଳିନଥିବା ବେଳେ ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭିଡିଓ ଭାଇରାଲ୍ ହେବା ପରେ ନେଟିଜେନ୍ସଙ୍କ ମଧ୍ୟରେ ଏକ ‘ମିମ୍ ୱାର’ ଆରମ୍ଭ ହୋଇଯାଇଛି। ବଜେଟ୍ ପରବର୍ତ୍ତୀ ଏକ ଖବରଦାତା ସମ୍ମିଳନୀରେ ଜଣେ ଖବରଦାତା “ମଧ୍ୟବିତ୍ତ ଶ୍ରେଣୀଙ୍କ ପାଇଁ ଏହି ବଜେଟ୍ରେ କ’ଣ ଅଛି?” ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ହଠାତ୍ ଅଳ୍ପ ହସି ‘ଆହା’ (Aww) କହି ଅନ୍ୟ ଏକ ପ୍ରସଙ୍ଗକୁ ଆଲୋଚନା ମୋଡ଼ି ଦେଇଥିଲେ, ଯାହାକୁ ନେଇ ଏବେ ସରଗରମ ଆଲୋଚନା ଚାଲିଛି।
ଚଳିତ ବଜେଟ୍ରେ ଆୟକର ସ୍ଲାବ୍ ଏବଂ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ବେତନଭୋଗୀ କର୍ମଚାରୀମାନେ ଟିକସ ରିହାତି ଆଶା କରୁଥିବା ବେଳେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ମଧ୍ୟ ୨,୭୫,୦୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି। ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓକୁ ନେଇ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ତାଙ୍କ ପ୍ରତିକ୍ରିୟା ଦେଖି ଲାଗୁଛି ସେ ଯେମିତି କହୁଛନ୍ତି ‘ଓଃ.. ମୁଁ ତ ଭୁଲିଯାଇଥିଲି ଯେ ମଧ୍ୟବିତ୍ତ ବୋଲି କେହି ଜଣେ ଅଛନ୍ତି’।” ଅନ୍ୟପଟେ କିଛି ରିହାତି ମିଳିଛି, ଯେପରିକି ବିଦେଶୀ ଯାତ୍ରା ଓ ଚିକିତ୍ସା ପାଇଁ TCS ହାରକୁ ୨ ପ୍ରତିଶତକୁ ହ୍ରାସ କରାଯାଇଛି। ତେବେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟୟ ବଢ଼ୁଥିବା ବେଳେ ବଡ଼ ଧରଣର ସଂସ୍କାର ଅଭାବରୁ ମଧ୍ୟବିତ୍ତ ବର୍ଗ ନିରାଶ ହୋଇଛନ୍ତି।