ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି କରୁଥିବା ଓପନର୍ ଅଭିଷେକ ଶର୍ମାଙ୍କୁ ସେ ସମର୍ଥନ କରିଥିଲେ ମଧ୍ୟ, ଦଳର ଆବଶ୍ୟକତା ଅନୁଯାୟୀ ଶୀର୍ଷ କ୍ରମରେ ପରିବର୍ତ୍ତନ କରାଯାଇପାରେ ବୋଲି ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି।
ଚଳିତ ବିଶ୍ୱକପ୍ରେ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସେ ୪ଟି ମ୍ୟାଚ୍ରୁ ମାତ୍ର ୩.୭୫ ହାରରେ ୧୫ ରନ ସଂଗ୍ରହ କରିଛନ୍ତି। ପେଟରେ ସଂକ୍ରମଣ ଯୋଗୁ ସେ ନାମିବିଆ ବିପକ୍ଷ ମ୍ୟାଚ ଖେଳିପାରି ନଥିଲେ, ଯାହା ତାଙ୍କ ଲୟ (Rhythm) ବିଗାଡ଼ି ଦେଇଛି।
କୋଟକ କହିଛନ୍ତି, “ଅଭିଷେକଙ୍କ ଅସୁସ୍ଥତା ପରେ ସେ ନିଜର ପୁରୁଣା ଲୟ ଫେରିପାଇ ନାହାନ୍ତି। କିନ୍ତୁ ଗତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ସେ ଭଲ ଖେଳୁଥିବା ପରି ମନେ ହେଉଥିଲେ। ଆମେ ଯଦି ଜଣେ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦେବା, ତେବେ ସେ ଚାପରେ ଆସିଯିବେ। ସେ ଖୁବଶୀଘ୍ର ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀକୁ ଫେରିବେ।”
ଅଭିଷେକ ଶର୍ମା ବିଶେଷ କରି ଅଫ-ସ୍ପିନରଙ୍କ ବିରୋଧରେ ସଂଘର୍ଷ କରୁଥିବା ଦେଖାଯାଇଛି। ଜିମ୍ବାୱେ ପାଖରେ ଭଲ ସ୍ପିନର ଥିବାରୁ ଦଳରେ କିଛି ରଣନୈତିକ ପରିବର୍ତ୍ତନ ହୋଇପାରେ। ସଞ୍ଜୁ ସାମସନ ନେଟ୍ସରେ ଅଭିଷେକଙ୍କ ପୂର୍ବରୁ ବ୍ୟାଟିଂ କରୁଥିବାରୁ ତାଙ୍କୁ ଓପନିଂ କିମ୍ବା ଉପର କ୍ରମରେ ଖେଳାଯିବାର ସମ୍ଭାବନା ରହିଛି।
କୋଟକଙ୍କ ଅନୁଯାୟୀ, ଦଳରେ ଲଗାତାର ତିନୋଟି ବାମହାତୀ ବ୍ୟାଟର (ଅଭିଷେକ, ଯଶସୱୀ ଓ ତିଲକ) ଥିବାରୁ ବିରୋଧୀ ଦଳ ସ୍ପିନରଙ୍କୁ ବ୍ୟବହାର କରୁଛନ୍ତି। ସଞ୍ଜୁ ସାମସନ ଜଣେ ତୃତୀୟ ଓପନର୍ ଏବଂ ୱିକେଟକିପର ବିକଳ୍ପ ଭାବେ ଦଳ ପାଖରେ ପ୍ରସ୍ତୁତ ଅଛନ୍ତି।
ତିଲକ ବର୍ମାଙ୍କ ଧୀମା ବ୍ୟାଟିଂକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଇଶାନ କିଷାନଙ୍କ ଅନୁପସ୍ଥିତିରେ ତିଲକଙ୍କ ଉପରେ ରନ ଗତି ବଢ଼ାଇବାର ଦାୟିତ୍ୱ ଥିଲେ ମଧ୍ୟ ସେ ଏଥିରେ ସଫଳ ହୋଇନାହାନ୍ତି। ତଥାପି, କୋଟକ ତିଲକଙ୍କ ବ୍ୟାଟିଂ ଶୈଳୀରେ କୌଣସି ତ୍ରୁଟି ନଥିବା କହିଛନ୍ତି।