ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ ଭଉଣୀ ଭାଇ ରିଆ-ଶୌଓ୍ବିକ୍‌

ମୁମ୍ବାଇ, ୬।୧୦: ବବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ରିଆ ଚକ୍ରବର୍ତ୍ତୀ ଏବଂ ଶୌଓ୍ବିକ୍‌ ଚକ୍ରବର୍ତ୍ତୀଙ୍କୁ ପଚରା ଉଚରା ଜାରି ରହିଛି। ସେମାନଙ୍କର ନ୍ୟାୟିକ ହାଜତର ସମୟ ସୀମାକୁ ମଙ୍ଗଳବାର ଅକ୍ଟୋବର ୨୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହା ପୂର୍ବରୁ କୋର୍ଟ ପକ୍ଷରୁ ସମୟ ସୀମାକୁ ୧୪ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହାର ସମୟ ସୀମା ମଙ୍ଗଳବାର ଶେଷ ହେଉଥିଲା। ଭଉଣୀ ଭାଇ ଦୁହେଁ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟ ଏହାର ବିଚାର କରି ସେମାନଙ୍କୁ ଅକ୍ଟୋବର ୨୦ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରଖିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରାୟ ସଂରକ୍ଷିତ ରଖିଛନ୍ତି। ରିଆ ଏବଂ ଶୌଓ୍ବିକ୍‌ ଡ୍ରଗ୍ସ୍‌ ସିଣ୍ଡିକେଟ ପରିଚାଳନା କରୁଥିବା ଏନ୍‌ସିବି ପକ୍ଷରୁ ଅଭିଯୋଗ କରାଯାଇଛି। ଦୁହେଁ ଅଭିଜ୍ଞ ଡ୍ରଗ୍ସ୍‌ ପେଡେଲରଙ୍କ ସହିତ ଯୋଗାଯୋଗରେ ଥିବା ଏନ୍‌ସିବି କହିଛି। ଦୁହେଁ ଡ୍ରଗ୍ସ୍‌ ପେଡେଲର ସାମୁଏଲ୍‌ ମିରାଣ୍ଡାଙ୍କ ସହାୟତାରେ ସୁଶାନ୍ତଙ୍କୁ ଡ୍ରଗ୍ସ୍‌ ଯୋଗାଇ ଦେଉଥିବା ମଧ୍ୟ ଏନ୍‌ସିବି ପକ୍ଷରୁ ଅଭିଯୋଗ ଅଣାଯାଇଛି।