ନୂଆଦିଲ୍ଲୀ,୩୧।୫: ନିକଟରେ ଭାରତୀୟ କ୍ରିକେଟରେ ରବିଚନ୍ଦ୍ରନ ଅଶ୍ୱିନ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଭଳି କିମ୍ବଦନ୍ତୀ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଏବେ ଟିମ ଇଣ୍ଡିଆ ସହିତ ଆଉ ଜଣେ କିମ୍ବଦନ୍ତୀଙ୍କ ଯାତ୍ରା ଶେଷ ହୋଇଛି। ଗତ ୫ ବର୍ଷ ଧରି ଟିମ ଇଣ୍ଡିଆର ଅଂଶ ଥିବା ପ୍ରଶିକ୍ଷକ ସୋହମ ଦେଶାଇ ଏବେ ଟିମ ଇଣ୍ଡିଆରୁ ଅଲଗା ହୋଇଛନ୍ତି। ଭାରତୀୟ ଖେଳାଳିମାନଙ୍କୁ ଫିଟନେସ ପାଇଁ ତାଲିମ ଦେଉଥିବା ପ୍ରଶିକ୍ଷକ ସୋହମ ୩୧ ମେରେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି।
ସୋହମ ଦେଶାଇ ଗତ ୩ ବର୍ଷ ଧରି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଥିଲେ ଏବଂ ସମଗ୍ର ଦଳ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ। ବିଶେଷକରି ବିରାଟ କୋହଲି, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସିରାଜ ଭଳି ଖେଳାଳିମାନେ ତାଙ୍କ ସହିତ ଜିମ ରେ ବହୁତ ସମୟ ବିତାଉଥିଲେ। ନିକଟରେ ଖବର ଆସିଥିଲା ଯେ ବିସିସିଆଇ ତାଙ୍କର ଚୁକ୍ତିକୁ ବୃଦ୍ଧି କରିବ ନାହିଁ ଏବଂ ଏବେ ସୋହମ ମଧ୍ୟ ଏହାକୁ ନିଶ୍ଚିତ କରିଛନ୍ତି।
ଟିମ ଇଣ୍ଡିଆରୁ ଅଲଗା ହେବାନେଇ ଘୋଷଣା କରିବା ପରେ, ଖେଳାଳିମାନେ ତାଙ୍କୁ ଭାବପ୍ରବଣ ବିଦାୟ ଦେଇଛନ୍ତି। ଯେଉଁଥିରେ ଷ୍ଟାର ପେସର ସିରାଜଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ସ୍ବତନ୍ତ୍ର ରହିଛି। ସିରାଜ ସୋହମଙ୍କ ସହିତ ତାଙ୍କର ଫଟୋ ପୋଷ୍ଟ କରି ଏକ ଲମ୍ବା କ୍ୟାପସନ ଲେଖିଛନ୍ତି। ସିରାଜ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ବିଦାୟ ଦେବା ସହଜ ନୁହେଁ ଯିଏ ଜଣେ ପ୍ରଶିକ୍ଷକ, ଜଣେ ଗାଇଡ, ଜଣେ ପରାମର୍ଶଦାତା ଏବଂ ଜଣେ ଭାଇଙ୍କଠାରୁ ଅଧିକ।”
ଗୁଜରାଟର ବାସିନ୍ଦା ସୋହମ ଦେଶାଇ ସେ ୨୯ ବର୍ଷ ବୟସରେ ଟିମ ଇଣ୍ଡିଆରେ ଯୋଗ ଦେଇଥିଲେ। ରବି ଶାସ୍ତ୍ରୀ ସେତେବେଳେ ପ୍ରଶିକ୍ଷକ ଥିଲେ। ସେବେଠାରୁ ସେ ଦଳ ସହିତ ଥିଲେ ଏବଂ ଅନେକ ଖେଳାଳିଙ୍କ ମଧ୍ୟରେ ଫିଟନେସ ପ୍ରତି ଆଗ୍ରହ ଭରି ଦେଇଥିଲେ।