ଯୌନ ନିର୍ଯାତନା ଦେଉଥିଲେ ସାର୍‌, ସାମ୍ନାକୁ ଆସିଲା ଛାତ୍ରୀଙ୍କ ମୃତ୍ୟୁ ପୂର୍ବର ଭିଡିଓ, ପ୍ରଫେସରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ

ଧର୍ମଶାଳା,୩ା୧: ହିମାଚଳପ୍ରଦେଶର ଧର୍ମଶାଳାରେ ଥିବା ଏକ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ର଼୍ୟାଗିଂ ଏବଂ ଯୌନ ନିର୍ଯାତନା ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କଲେଜର ଜଣେ ପ୍ରଫେସର ଏବଂ ୩ ଜଣ ଛାତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଥିବା ପୋଲିସ କହିଛି। ଛାତ୍ରୀ ଜଣକ ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ନିର୍ଯାତନାର କାହାଣୀକୁ ମୋବାଇଲ୍‌ ଭିଡିଓରେ ରେକର୍ଡ କରିଥିଲେ। ପ୍ରଫେସର ଜଣକ କିପରି ଅନୁଚିତ ଢଙ୍ଗରେ ତାଙ୍କୁ ସ୍ପର୍ଶ କରୁଥିଲେ ଏବଂ ମାନସିକ ଓ ଯୌନ ନିର୍ଯାତନା ଦେଉଥିଲେ, ତାହା ଉକ୍ତ ଭିଡିଓରେ ଉଲ୍ଲେଖ ରହିଛି। ଧର୍ମଶାଳା ସରକାରୀ ଡିଗ୍ରୀ କଲେଜର ଉକ୍ତ ଛାତ୍ରୀଙ୍କ ବାପା ଗତ ସେପ୍ଟେମ୍ବର ୧୮ରେ ପୋଲିସରେ କରିଥିବା ଅଭିଯୋଗ ଅନୁଯାୟୀ, ହର୍ଷିତା, ଅକ୍ରିତି ଏବଂ କୋମୋଲିକା ନାମ୍ନୀ ୩ ଛାତ୍ରୀ ତାଙ୍କ ଝିଅଙ୍କୁ ମାଡ଼ ମାରିବା ସହ ନିଷ୍ଠୁର ର଼୍ୟାଗିଂ କରୁଥିଲେ। ତାଙ୍କୁ ନୀରବ ରହିବା ପାଇଁ ସେମାନେ ଧମକ ଦେଉଥିଲେ। ଉକ୍ତ ଅଭିଯୋଗରେ କଲେଜ ପ୍ରଫେସର ଅଶୋକ କୁମାରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ପ୍ରଫେସରଙ୍କ ଅସଦାଚରଣ ଏବଂ ମାନସିକ ନିର୍ଯାତନା ଯୋଗୁ ଝିଅ ଅତ୍ୟଧିକ ଚାପରେ ରହୁଥିଲେ। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟ ବିଗିଡିବାକୁ ଲାଗିଥିଲା ବୋଲି ତାଙ୍କ ବାପା ଦର୍ଶାଇଥିଲେ। ଡିସେମ୍ବର ୨୬ରେ ମୃତ୍ୟୁ ଘଟିବା ପୂର୍ବରୁ ସେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଝିଅ ମୃତ୍ୟୁକୁ ନେଇ ସେମାନେ ଭାଙ୍ଗିପଡ଼ିଥିବାରୁ ଅଭିଯୋଗ ଦାଖଲ କରିପାରି ନ ଥିଲେ ବୋଲି କହିଛନ୍ତି। ଝିଅ ମୋବାଇଲ ଫୋନ୍‌ରୁ ଭିଡିଓ ମିଳିବା ପରେ ସେମାନେ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Dharitri – The Largest & Most Trusted Odia Daily

Share