ନୂଆଦିଲ୍ଲୀ,୧୮ା୯: ଅଧିକାଂଶ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଅର୍ଦ୍ଧାଧିକ ମତଦାତାଙ୍କୁ ନୂଆ ଦସ୍ତାବିଜ ଦେବାକୁ ପଡ଼ି ନ ପାରେ ବୋଲି ବୁଧବାର ନିର୍ବାଚନ କମିଶନ(ଇସି) ଅଧିକାରୀମାନେ ସୂଚନା ଦେଇଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି ଯେ, ଅନେକ ରାଜ୍ୟରେ ୨୦୦୨ରୁ ୨୦୦୪ ମଧ୍ୟରେ ଭୋଟର ତାଲିକାର ଏସ୍ଆଇଆର୍ କରାଯାଇଛି। ଏହି ବର୍ଷକୁ ସେମାନଙ୍କ ପରବର୍ତ୍ତୀ ଏସ୍ଆଇଆର୍ ପାଇଁ କଟ୍ଅଫ୍ ତାରିଖ ଭାବେ ବିଚାର କରାଯିବ। ସାରା ଦେଶରେ ଏସ୍ଆଇଆର୍ ଲାଗୁ ପାଇଁ ଇସି ଖୁବ୍ଶୀଘ୍ର ତାରିଖ ଘୋଷଣା କରିବେ। ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କୁ ଭୋଟର ତାଲିକା ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି। କେତେକ ରାଜ୍ୟର ସିଇଓମାନେ ଗତ ଏସ୍ଆଇଆର୍ ପରେ ପ୍ରକାଶିତ ଭୋଟର ତାଲିକା ନିଜ ଓ୍ବେବ୍ସାଇଟ୍ରେ ଅପ୍ଲୋଡ୍ କରିସାରିଛନ୍ତି। କୌଣସି ଯୋଗ୍ୟ ନାଗରିକ ଯେପରି ବାଦ୍ ନ ପଡ଼ନ୍ତି ତାହା ସୁନିଶ୍ଚିତ କରିବା ପାଇଁ ସୁପ୍ରିମକୋର୍ଟ ଇସିଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଗୁରୁତ୍ୱ ଦେଇ ସିଇଓମାନେ କାର୍ଯ୍ୟ କରୁଥିବା କୁହାଯାଉଛି।
ଇତିମଧ୍ୟରେ ଇସି ଇଭିଏମ୍ ବାଲଟ୍ ପେପରର ଡିଜାଇନିଂ ଓ ପ୍ରିଣ୍ଟିଂ ସମ୍ପର୍କିତ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରିଛନ୍ତି। ତଦନୁସାରେ ଏହା ଅଧିକ ପଠନଯୋଗ୍ୟ ଓ ଭୋଟର-ଅନୁକୂଳ ହେବ। ଏଥିରେ ପ୍ରାର୍ଥୀମାନଙ୍କ ରଙ୍ଗିନ ଫଟୋ ସହ ସେମାନଙ୍କ ନାମ ବଡ଼ ଅକ୍ଷରରେ ଉଲ୍ଲେଖ ରହିବ, ଯାହାକୁ ଦେଖି ମତଦାତାମାନେ ସହଜରେ ସେମାନଙ୍କୁ ଜାଣିପାରିବେ ଏବଂ ନିଜ ପସନ୍ଦ ଅନୁସାରେ ଭୋଟ ଦେଇପାରିବେ। ପ୍ରାର୍ଥୀଙ୍କ ନାମ ସହ ନନ୍ ଅଫ୍ ଦି ଏବଭ୍ (ନୋଟା)ର ଅକ୍ଷର ଆକୃତି ୩୦ ସାଇଜ୍ରେ ରହିବ ଏବଂ ସ୍ପଷ୍ଟତା ପାଇଁ ତାକୁ ବୋଲ୍ଡ କରାଯିବ। ଏଥିପାଇଁ ବ୍ୟବହୃତ କାଗଜ ମଧ୍ୟ ପୂର୍ବାପେକ୍ଷା ମୋଟା ରହିବ। ବିଧାନସଭା ନିର୍ବାଚନ ପାଇଁ ନିର୍ଦ୍ଦିଷ୍ଟ ଭାବେ ପିଙ୍କ୍ କଲର ପେପର ବ୍ୟବହାର କରାଯିବ। ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରୁ ଏହା ଲାଗୁ ହେବ ବୋଲି ଇସି ସୂଚନା ଦେଇଛନ୍ତି। ଭାରତର ନିର୍ବାଚନ କମିଶନ କଣ୍ଡକ୍ଟ ଅଫ୍ ଇଲେକ୍ସନ ରୁଲ୍ସ, ୧୯୬୧ର ରୁଲ୍ ୪୯ବିରେ ସଂଶୋଧନ ଆଣି ପ୍ରଚଳିତ ଗାଇଡ୍ଲାଇନ୍ରେ ଏପରି ପରିବର୍ତ୍ତନ କରିଥିବା ଦର୍ଶାଇଛନ୍ତି।