ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ସୋମବାର ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ଛତିଶଗଡ଼, ଗୋଆ, ପଣ୍ଡିଚେରୀ, ଆଣ୍ଡାମାନ ଓ ନିକୋବର ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଏସ୍‌ଆଇଆର୍‌ ଅନୁଷ୍ଠିତ ହେବ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ, ପଣ୍ଡିଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସାମରେ ମଧ୍ୟ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଥିବାବେଳେ ସେଠାରେ ଭୋଟର ତାଲିକା ସ୍ବତନ୍ତ୍ର ସଂଶୋଧନ ପାଇଁ ଅଲଗା ଘୋଷଣା କରାଯିବ ବୋଲି ସିଇସି କହିଛନ୍ତି।
ଦେଶ ସ୍ବାଧୀନ ହେବା ପରେ ଏହା ୯ମ ଏସ୍‌ଆଇଆର୍‌। ଏହା ପୂର୍ବରୁ ୨୦୦୨-୨୦୦୪ ମଧ୍ୟରେ ଶେଷ ଥର ପାଇଁ ଏସ୍‌ଆଇଆର୍‌ ହୋଇଥିଲା। ଖବରଦାତା ସମ୍ମିଳନୀରେ ସିଇସି କହିଛନ୍ତି, ବିହାରରେ ବିନା କୌଣସିି ଅଭିଯୋଗରେ ଏସ୍‌ଆଇଆର୍‌ର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍‌ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରେ ନ ରହନ୍ତି, ତାହା ସୁନିଶ୍ଚିତ କରିବା ଏସ୍‌ଆଇଆର୍‌ର ଲକ୍ଷ୍ୟ। ଦ୍ୱିତୀୟ ପର୍ଯ୍ୟାୟରେ ୫୧ କୋଟି ଭୋଟରଙ୍କ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ହେବ। ଏଥିପାଇଁ ଗଣତି ପ୍ରକ୍ରିୟା ନଭେମ୍ବର ୪ରୁ ଆରମ୍ଭ ହେବାକୁ ଥିବାବେଳେ ଡିସେମ୍ବର ୯ରେ ଚିଠା ଭୋଟର ତାଲିକା ଏବଂ ଫେବୃଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।
ଏସ୍‌ଆଇଆର୍‌ ପ୍ରକ୍ରିୟା ଆରମ୍ଭ ନିମନ୍ତେ ପ୍ରସ୍ତୁତି ପାଇଁ ନିର୍ବାଚନ କମିଶନ ଇତିମଧ୍ୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ମାନଙ୍କ ସହ ୨ଟି ସମ୍ମିଳନୀର ଆୟୋଜନ କରିଥିଲେ। ଅନେକ ସିଇଓ ସେମାନଙ୍କ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ପରର ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ପୋଷ୍ଟ କରିଛନ୍ତି। ଦିଲ୍ଲୀ ସିଇଓ ୨୦୦୮ରେ ହୋଇଥିବା ଶେଷ ଏସ୍‌ଆଇଆର୍‌ ପରବର୍ତ୍ତୀ ଭୋଟର ତାଲିକା ଓ୍ବେବ୍‌ସାଇଟ୍‌ରେ ଛାଡ଼ିଛନ୍ତି। ବିଭିନ୍ନ ରାଜ୍ୟର ଶେଷ ଏସ୍‌ଆଇଆର୍‌ ବର୍ଷକୁ କଟ୍‌-ଅଫ୍‌ ତାରିଖ ଭାବେ ଧରାଯିବ, ଯେପରି ବିହାର ପାଇଁ ୨୦୦୩ ଭୋଟର ତାଲିକାକୁ ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବ୍ୟବହାର କରାଯାଇଥିଲା। ଅଧିକାଂଶ ରାଜ୍ୟରେ ଶେଷ ଏସ୍‌ଆଇଆର୍‌ ୨୦୦୨ରୁ ୨୦୦୪ ମଧ୍ୟରେ ହୋଇଥିଲା। ଏସ୍‌ଆଇଆର୍‌ର ପ୍ରଥମ ଲକ୍ଷ୍ୟ ହେଲା ଲୋକଙ୍କ ଜନ୍ମସ୍ଥାନ ଯାଞ୍ଚ କରି ବିଦେଶୀ ବେଆଇନ ଆପ୍ରବାସୀମାନଙ୍କୁ ଭୋଟର ତାଲିକାରୁ ବାଦ୍‌ ଦେବା। ବାଂଲାଦେଶ ଏବଂ ମ୍ୟାନ୍‌ମାର ଆଦି ଦେଶରୁ ବେଆଇନ ଭାବେ ଆସି ବିଭିନ୍ନ ରାଜ୍ୟରେ ରହିଯାଇଥିବାରୁ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଚଢ଼ାଉ ଜାରି ରହିଛି।