କର୍ଲାମୁଣ୍ଡା,୨୧ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଅନେକ ବିଦ୍ୟାଳୟରେ ସ୍ଥାୟୀ ଜମି ପଟ୍ଟା ନାହିଁ। ଶୀଘ୍ର ସ୍ଥାୟୀ ପଟ୍ଟା ପ୍ରଦାନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ବ୍ଲକ ରାଜସ୍ବ ବିଭାଗ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ସ୍ବତନ୍ତ୍ର ଗ୍ରାମସଭା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ରିଞ୍ଜା ପଞ୍ଚାୟତ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣମୀ ମାଝୀକଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ଏଥିରେ କର୍ଲାମୁଣ୍ଡା ରାଜସ୍ବ ନିରୀକ୍ଷକ ଶାଶ୍ୱତ ମିଶ୍ର, ବନପାଳ ସମ୍ପଦ କୁମାର, ପିଇଓ ଜିତୁ ଜାନି, ରେଙ୍ଗାଲି ସିଆର୍ସିସି ଉଜ୍ଜ୍ୱଳ କୁମାର ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କୁନ୍ତ ଭଟ୍ଟ ସୁନା, ୱାର୍ଡମେମ୍ବର ହେମନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ବିଦ୍ୟାଳୟର ୧୮ ଡେସିମିଲ ବିଶିଷ୍ଟ ଜାଗା ଗ୍ରାମ୍ୟ ଜଙ୍ଗଲରେ ରହିଥିବାରୁ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ମିଳିବା ମୁସ୍କିଲ ହେଉଥିଲା। ଗ୍ରାମ ସଭାରେ ଉପସ୍ଥିତ ଗ୍ରାମବାସୀ ବିଦ୍ୟାଳୟ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ ପାଇଁ ଅନୁମୋଦନ କରିଥିବା ଜଣାପଡ଼ିଛି। ସେହିପରି ଘଣ୍ଟୁପଡା ପ୍ରାଥମିକ ବିଦ୍ୟାଳୟଠାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବୋରପଦର ସରପଞ୍ଚ ସୁବାସ ସାହୁ, ପିଇଓ ପରମାନନ୍ଦ ମାଝୀ, ବନପାଳ ସମ୍ପଦ କୁମାର, ରେଙ୍ଗାଲି ସିଆର୍ସିସି ଉଜ୍ଜ୍ୱଳ କୁମାର ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବିଦ୍ୟାଳୟ ୬୩ ଡେସିମିଲ ଜମି ଗ୍ରାମ୍ୟ ଜଙ୍ଗଲରେ ରହିଥିବାରୁ ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ଜମି ପଟ୍ଟା ମିଳିପାରି ନାହିଁ। ସ୍ଥାୟୀ ପଟ୍ଟା ମିଳିବା ପାଇଁ ଉପସ୍ଥିତ ଜନସାଧାରଣ ଗ୍ରାମ ସଭାରେ ଅନୁମୋଦନ କରିଥିବା ଜଣାପଡ଼ିଛି। ଏ ନେଇ ତହସିଲଦାର ଅରୁଣ ବର୍ଗେଙ୍କୁ ପଚାରିବାରୁ ସ୍ବତନ୍ତ୍ର ଗ୍ରାମ ସଭାରେ ହେଇଥିବା ଅନୁମୋଦନକୁ ସରକାରଙ୍କ ନିକଟକୁ ପଠାଇବୁ ବୋଲି କହିଛନ୍ତି।