ନୂଆଦିଲ୍ଲୀ,୧୪।୧: ଲୋକପ୍ରିୟ ଆସାମୀ ସଙ୍ଗୀତଶିଳ୍ପୀ ଜୁବିନ୍ ଗର୍ଗଙ୍କ ମୃତ୍ୟୁକୁ ନେଇ ସିଙ୍ଗାପୁର କୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଯାଇଛି। ସିଙ୍ଗାପୁର ପୋଲିସର ତଦନ୍ତ ଅନୁସାରେ, ଜୁବିନ୍ଙ୍କ ମୃତ୍ୟୁ ପଛରେ କୌଣସି ଅପରାଧିକ ଷଡ଼ଯନ୍ତ୍ର ନାହିଁ। ବୁଧବାର କରୋନର୍ କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଅନୁଯାୟୀ, ଗଭୀର ନିଶାଗ୍ରସ୍ତ ଅବସ୍ଥାରେ ପାଣିକୁ ଡେଇଁବା ଏବଂ ଲାଇଫ୍ ଜ୍ୟାକେଟ୍ ବ୍ୟବହାର ନକରିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୧୯ରେ ଏକ ୟଟ୍ ପାର୍ଟି ସମୟରେ ଜୁବିନ୍ ପ୍ରଥମେ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ ମଧ୍ୟ ପରେ ତାକୁ କାଢ଼ି ଦେଇଥିଲେ। ଦ୍ୱିତୀୟ ଥର ତାଙ୍କୁ ଜ୍ୟାକେଟ୍ ଯଚାଯାଇଥିଲେ ବି ସେ ତାହା ପିନ୍ଧିବାକୁ ମନା କରିଦେଇଥିଲେ।
ଟକ୍ସିକୋଲୋଜି ରିପୋର୍ଟ ଅନୁସାରେ, ଜୁବିନ୍ଙ୍କ ରକ୍ତରେ ଆଲକୋହଲର ମାତ୍ରା ୩୩୩ ମିଲିଗ୍ରାମ ଥିଲା, ଯାହାକି ଅତ୍ୟଧିକ ନିଶାକୁ ଦର୍ଶାଏ। ଏହି କାରଣରୁ ତାଙ୍କର ଶାରୀରିକ ସନ୍ତୁଳନ ଏବଂ ପ୍ରତିକ୍ରିୟା ଶକ୍ତି ହ୍ରାସ ପାଇଥିଲା।
ଜୁବିନ୍ ପୂର୍ବରୁ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିଲେ। ଯଦିଓ ତାଙ୍କ ଶରୀରରୁ ଏହି ରୋଗର ଔଷଧ ମିଳିଛି, କିନ୍ତୁ ଘଟଣା ଦିନ ସେ ଔଷଧ ଖାଇଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ‘ପାଣିରେ ବୁଡ଼ିଯିବା’ ହିଁ ମୃତ୍ୟୁର ପ୍ରାଥମିକ କାରଣ। ଶରୀରରେ ଥିବା କିଛି ସାମାନ୍ୟ କ୍ଷତ ଚିହ୍ନ ଉଦ୍ଧାର ସମୟରେ ଏବଂ CPR ଦେବା ବେଳେ ହୋଇଥିବା ଜଣାପଡ଼ିଛି।
ସିଙ୍ଗାପୁର ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହୁଥିବା ବେଳେ, ଭାରତରେ ଆସାମ ପୋଲିସର CID (SIT) ଏହି ମାମଲାରେ ହତ୍ୟା ତଦନ୍ତ ଜାରି ରଖିଛି।
ଜୁବିନ୍ଙ୍କ ମୃତ୍ୟୁ ପରେ ଆସାମରେ ୬୦ରୁ ଅଧିକ FIR ଦାୟର ହୋଇଥିଲା। ପୋଲିସ ଏହି ମାମଲାରେ ଉତ୍ସବ ଆୟୋଜକ ଶ୍ୟାମକାନୁ ମହନ୍ତ, ସଚିବ ସିଦ୍ଧାର୍ଥ ଶର୍ମା ଏବଂ ବ୍ୟାଣ୍ଡର ଦୁଇ ସଦସ୍ୟଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି।
ସୂଚନାଯୋଗ୍ୟ ୫୨ ବର୍ଷୀୟ ଜୁବିନ୍ ଗର୍ଗ ସିଙ୍ଗାପୁରରେ ଆୟୋଜିତ ‘ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ’ରେ ଯୋଗ ଦେବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।