Categories: Home Leftଖେଳ

ପାଲେର୍‌ମୋ ଲେଡିଜ୍‌ ଓପନ୍‌ରୁ ଓହରିଲେ ହାଲେପ୍‌

ପାଲେରମୋ, ୨୭ା୭ (ଏପି)-ଇଟାଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ କ୍ୱାରାଣ୍ଟାଇନ୍‌ ଅଧ୍ୟାଦେଶ ଜାରି ପରେ ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ରବିବାର ପାମେରୋ ଲେଡିଜ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ରୋମାନିଆରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସମୟରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ସୁରକ୍ଷିତ ନୁହେଁ। ଏହି କାରଣରୁ ମୁଁ ପାଲରମୋରୁ ଓହରିଯିବା ଲାଗି ନିଷ୍ପତ୍ତି ବୋଲି ହାଲେପ୍‌ କହିଛନ୍ତି। ପାଲେରମୋ ଟୁର୍ନାମେଣ୍ଟ ଅଗଷ୍ଟ ୩ରୁ ୯ ତାରିଖ ପର୍ଯ୍ୟନ୍ତ ହେବ। ଇଟାଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଗତ ଶୁକ୍ରବାର ଏକ ଅଧ୍ୟାଦେଶରେ ସ୍ବାକ୍ଷର କରିଛନ୍ତି। ତଦନୁସାରେ ଗତ ୧୪ ଦିନ ମଧ୍ୟରେ ଯେଉଁମାନେ ରୋମାନିଆ ଅବା ବୁଲ୍‌ଗେରିଆରେ ଅବସ୍ଥାନ କରିଛନ୍ତି ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ହାଲେପ୍‌ଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ତାଙ୍କ ମ୍ୟାନେଜର ଭର୍ଜିନିଆ ରୁଜିସି ପାଲେରମୋ ଅଫସିଆଲଙ୍କୁ ଅବଗତ କରାଇଛନ୍ତି। ତେବେ ଟୁର୍ନାମେଣ୍ଟରେ ଅନ୍ୟ ୪ଜଣ ଟପ୍‌ ୨୦ ଖେଳାଳି ଭାଗ ନେଉଛନ୍ତି। ସେମାନେ ହେଲେ ବ୍ରିଟେନ୍‌ର ଜୋହାନା କୋଣ୍ଟା (୧୪ ନମ୍ବର ର଼୍ୟାଙ୍କିଙ୍ଗ୍‌), କ୍ରୋଏସିଆର ପେଟ୍ରା ମାଟ୍ରିକ୍‌ (୧୫), ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋଣ୍ଡୋରୋସୋଭା (୧୮) ଏବଂ ଗ୍ରୀସ୍‌ର ମାରିଆ ସାକାରୀ (୨୦)।