ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର ମାସର ସଂସ୍କରଣ ପାଇଁ କଭର ପେଜ୍‌ ଭାବେ ସ୍ଥାନିତ ହୋଇଛି। ଉକ୍ତ କଭର ପେଜ୍‌ ଫଟୋ ପାଇଁ ପ୍ରସନ୍‌ଜିତଙ୍କୁ ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ଅନେକ ମାସ ଧରି ବାଘଗୁଡ଼ିକଙ୍କ ଉପରେ ନଜର ରଖିବାକୁ ପଡ଼ିଥିଲା। କଭର ପେଜ୍‌ରେ ସ୍ଥାନିତ ହୋଇଥିବା ବାଘଟି ସ୍ୟୁଡୋ ମେଲାନିଷ୍ଟିକ୍‌ ଟାଇଗର ପ୍ରଜାତିର ହୋଇଥିବା ବେଳେ ଏହା ବିଶ୍ୱର
ସବୁଠାରୁ ଦୁର୍ଲଭ ବାଘ ମଧ୍ୟରୁ ଅନ୍ୟତମ। ଏହି ପ୍ରକାରର କଳାବାଘ କେବଳ ଶିମିଳିପାଳରେ ଦେଖାଯାଆନ୍ତି ବୋଲି ପ୍ରସନ୍‌ଜିତ କହିଛନ୍ତି। ସେ କହିଛନ୍ତି, ଜଣେ ଏକ୍ସପ୍ଲୋରର ଏବଂ ନ୍ୟାଶନାଲ ଜିଓଗ୍ରାଫିକ୍‌ର ଫଟୋଗ୍ରାଫର ଭାବେ ଦୀର୍ଘ ମାସ ଧରି ଶିମିଳିପାଳ ଜଙ୍ଗଲରେ ବୁଲିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।

ଏହି ଅବସରରେ ଦୁର୍ଲଭ ବାଘମାନଙ୍କ ସୁରକ୍ଷା ଦିଗରେ ଓଡ଼ିଶା ବନ ବିଭାଗର ଉତ୍ସର୍ଗୀକୃତ ପରିଚାଳନା ଓ ଅଧିକାରୀମାନଙ୍କ ପ୍ରତିବଦ୍ଧତାକୁ ସେ ପ୍ରତ୍ୟକ୍ଷ ଭାବରେ ଦେଖିଥିଲେ। ଅନେକ ମାସର ଧୈର୍ଯ୍ୟ ଓ ପରିଶ୍ରମ ପରେ ବ୍ୟାଘ୍ର ଗବେଷକଙ୍କ ମଧ୍ୟରେ ଟି୧୨ ଭାବେ ପରିଚିତ ଥିବା ବାଘର ଏକ ଉତ୍କୃଷ୍ଟ ଫଟୋ ନେବା ତାଙ୍କ ପାଇଁ ଆନନ୍ଦଦାୟକ ମୁହୂର୍ତ୍ତ ଥିଲା। ତାଙ୍କ ଦ୍ୱାରା ନିଆଯାଇଥିବା ଏହି ଫଟୋ ଏବଂ ଷ୍ଟୋରି ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର କଭର ପେଜ୍‌ରେ ସ୍ଥାନିତ ହେବା ନିଶ୍ଚିତ ଭାବେ ତାଙ୍କ ପାଇଁ ସମ୍ମାନର ବିଷୟ ବୋଲି ପ୍ରସନ୍‌ଜିତ କହିଛନ୍ତି। ଉକ୍ତ କଭର ଫଟୋର ଷ୍ଟୋରିରେ ବ୍ୟାଘ୍ର ସଂରକ୍ଷଣର ଜଟିଳ ବାସ୍ତବତା ଏବଂ ସ୍ୟୁଡୋ ମେଲାନିଷ୍ଟିକ୍‌ ପ୍ରଜାତିର ବାଘଙ୍କ ବିରଳ ଜେନେଟିକ ମ୍ୟୁଟେଶନ ସମ୍ପର୍କିତ ବୈଶିଷ୍ଟ୍ୟ ବିଷୟରେ ଲୋକଙ୍କ ପାଇଁ ବିସ୍ତୃତ ସୂଚନା ରହିଥିବା ନେଇ ନ୍ୟାଶନାଲ ଜିଓଗ୍ରାଫିକ୍‌ର ମୁଖ୍ୟ ସମ୍ପାଦକ ନାଥନ ଲମ୍ପ୍‌ କହିଛନ୍ତି।