ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ ଦିନରେ ୧୧,୦୦୦ ଟଙ୍କାର ବଡ଼ ଧରଣର ବୃଦ୍ଧି ଘଟିଥିବା ବେଳେ ସୁନା ଦର ମଧ୍ୟ ହୁ ହୁ ହୋଇ ବଢ଼ିଛି।
ବୁଧବାର ଦିନ ଦିଲ୍ଲୀ ମାର୍କେଟରେ ସୁନା ଓ ରୁପା ଦରରେ ବୃଦ୍ଧି ରେକର୍ଡ କରାଯାଇଛି। ରୁପା ଦରରେ ସିଧାସଳଖ ୧୧,୦୦୦ ଟଙ୍କା (ପ୍ରାୟ ୫%) ବୃଦ୍ଧି ଘଟିଛି। ଏବେ ଏକ କିଲୋଗ୍ରାମ ରୁପାର ମୂଲ୍ୟ ୨,୫୧,୦୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହାର ଦର ୨,୪୦,୦୦୦ ଟଙ୍କା ଥିଲା। ସେହିଭଳି ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦର ୧୦ ଗ୍ରାମ ପ୍ରତି ୩,୨୦୦ ଟଙ୍କା ବଢ଼ିଛି। ଏବେ ସୁନା ଦର ୧,୫୬,୪୦୦ ଟଙ୍କା (ପ୍ରତି ୧୦ ଗ୍ରାମ) ରେ ପହଞ୍ଚିଛି, ଯାହା ଗତକାଲି ୧,୫୩,୨୦୦ ଟଙ୍କା ଥିଲା।
ଏହି ଅହେତୁକ ଦର ବୃଦ୍ଧି ପଛରେ ଦେଶର କୌଣସି କାରଣ ନାହିଁ, ବରଂ ସାତ ସମୁଦ୍ର ପାରି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ବୁଝାମଣା ରହିଛି। ପଶ୍ଚିମ ଏସିଆରେ ଯୁଦ୍ଧର ବାଦଲ ହଟିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡେଡ୍ଲାଇନ ପୂର୍ବରୁ ଉଭୟ ଦେଶ ମଧ୍ୟରେ ୨ ସପ୍ତାହ ପାଇଁ ଯୁଦ୍ଧବିରତି (Ceasefire) ଉପରେ ସହମତି ପ୍ରକାଶ ପାଇଛି। ଏପରିକି ଇରାନ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବ୍ୟାପାର ମାର୍ଗ ହର୍ମୁଜକୁ ଖୋଲା ରଖିବାକୁ ସଙ୍କେତ ଦେଇଛି, ଯାହାଦ୍ୱାରା ଜାହାଜ ଚଳାଚଳ ସୁରକ୍ଷିତ ରହିବ।
ଏହି ଖବର ଯୋଗୁ ବିଶ୍ୱ ଆର୍ଥିକ ବଜାରରେ ଆଶ୍ୱସ୍ତି ଦେଖାଦେଇଛି। ଡଲାର ଏବଂ ଅଶୋଧିତ ତୈଳ ଦରରେ ନରମା କାରଣରୁ ନିବେଶକମାନେ ପୁଣିଥରେ ସୁନା ଓ ରୁପା ଉପରେ ଭରସା କରି ନିବେଶ ବଢ଼ାଇଛନ୍ତି, ଯାହା ଦରକୁ ଆକାଶଛୁଆଁ କରିଛି।
ବିଦେଶୀ ବଜାରରେ ମଧ୍ୟ ସୁନା-ରୁପାର ଗତି ଅଧିକ ରହିଛି। ଅନ୍ତର୍ଜାତୀୟ ମାର୍କେଟରେ ସୁନା ଦର ପ୍ରାୟ ୨.୦୭ ପ୍ରତିଶତ ବଢ଼ି ୪,୮୦୩.୩୩ ଡଲାର ପ୍ରତି ଆଉନ୍ସରେ ପହଞ୍ଚିଥିବା ବେଳେ ରୁପା ଦରରେ ୬ ପ୍ରତିଶତର ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।
Dharitri – Odisha’s No.1 Odia Daily