ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହର ଦ୍ବିତୀୟ ଦିବସ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେ ଅନୁଷ୍ଠାନର ୨୦୨୫-୨୬ ଶିକ୍ଷାବର୍ଷର ବାର୍ଷିକ ମୁଖପତ୍ର ‘ଆହ୍ବାନ’ ଉନ୍ମୋଚିତ କରିଥିଲେ। ବିଦ୍ୟାମନ୍ଦିର ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ . ପଦ୍ମଚରଣ ବେହେରା, ଅଖିଳ ଭାରତୀୟ ଶ୍ରଦ୍ଧା ଜାଗରଣ ପ୍ରମୁଖ ରାଜେନ୍ଦ୍ର ମାଦଳା, ଆରଏସ୍ଏସ୍ ଗଞ୍ଜାମ ଜିଲା କାର୍ଯ୍ୟକର୍ତ୍ତା ରମେଶ ଚନ୍ଦ୍ର ତ୍ରିପାଠୀ , ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ , ଦିଗପହଣ୍ଡି ନଗରପାଳ ପ୍ରଫୁଲ ପଣ୍ଡା, ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ରୌପ୍ୟ ଜୟନ୍ତୀ ସମାରୋହର ବ୍ୟବସ୍ଥାପକ ତଥା ପରିଚାଳନା ସମିତି ସମ୍ପାଦକ ପ୍ରହଲ୍ଲାଦ ଡାକୁଆ ଅତିଥି ପରିଚୟ ଓ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଧାନାଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହାପରେ ଅତିଥି ବୃନ୍ଦ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ , ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବତନ ଛାତ୍ରୀଛାତ୍ରମାନଙ୍କୁ ଅତିଥିଙ୍କ ଦ୍ୱାରା ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସମସ୍ତ ଆଚାର୍ଯ୍ୟା, ଆଚାର୍ଯ୍ୟ,ପରିଚାଳନା ସମିତି କାର୍ଯ୍ୟକର୍ତ୍ତାବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାମନ୍ଦିର ଛାତ୍ରୀଛାତ୍ର ବୃନ୍ଦ ଏବଂ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ।