ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁ, ସୁପ୍ରିମ୍‌କୋର୍ଟରେ ଆବେଦନ…

ନୂଆଦିଲ୍ଲୀ,୨୦।୧୧: ରାଷ୍ଟ୍ର ମୁଖ୍ୟ ଅବା ଅନ୍ୟ ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନା କାର୍ଯ୍ୟକ୍ରମ ସମୟରେ ସାଙ୍କେତିକ ଭାଷାର ସୁବିଧା ରହୁବୋଲି ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ଏହା ଦ୍ୱାରା ପ୍ରେସ୍‌ ସୂଚନା ସମ୍ପର୍କରେ ଶ୍ରବଣ ଶକ୍ତି ବାଧିତ ଦିବ୍ୟାଙ୍ଗମାନେ ସହଜରେ ଜାଣି ପାରିବେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଦିବ୍ୟାଙ୍ଗ ଅଧିକାରକର୍ମୀ ଏମ୍‌. କାରୋଏଗାମ୍‌ଙ୍କ ପକ୍ଷରୁ ଏନେଇ ଏକ ପିଟିଶନ ଦାଖଲ କରାଯାଇଛି। ସେ ନିଜେ ଜଣେ ଦୃଷ୍ଟିବାଧିତ। ଏହି ଦିବ୍ୟାଙ୍ଗ ମହିଳା ମାଡ୍ରାସ୍‌ ହାଇକୋର୍ଟରେ ଆଇନଜୀବୀ ନୁପୁର କୁମାରଙ୍କ ସହାୟତାରେ ଆଇନ ପ୍ରାଟିକ୍ସ୍‌ କରୁଛନ୍ତି।

ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୬ ଅଧିନିୟମର ଧାରା ୪୨ ଅର୍ନ୍ତଗତ ଦେଶ ଅବା ରାଜ୍ୟର କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରେସ୍‌ ସୂଚନା ପ୍ରଦାନ କରାଯାଉଥିବାବେଳେ ସାଙ୍କେତିକ ଭାଷାର ଉପଯୋଗର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କ୍ୟାବିନେଟ୍‌ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ରାଜ୍ୟର ବିଭିନ୍ନ ମନ୍ତ୍ରୀଙ୍କ ପ୍ରେସ୍‌ ସୂଚନାରେ ଏଭଳି ସୁବିଧା ଲାଗୁ କରାଯିବା ନେଇ ଆବେଦନରେ ଦାବି କରାଯାଇଛି।

Share