ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛିଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଏକୁଟିଆ ଘୁରି ବୁଲୁଛି। ଅଧିକାଂଶ ସମୟ ଗୋଟିଏ ସ୍ଥାନରେ ହିଁ ଅଟକି ରହୁଛି। ବୟସାଧିକ କାରଣ ଯୋଗୁ ହାତୀଟି ଅସୁସ୍ଥ ଥିବା ବିଭାଗୀୟ ଅଧିକାରୀମାନେ ଆଶଙ୍କା କରୁଛନ୍ତି। ତେଣୁ ହାତୀଟିର ପ୍ରତି ମୁହୂର୍ତ୍ତର ଖବର ବନ ବିଭାଗ କର୍ମଚାରୀ ରଖୁଛନ୍ତି । ତାହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ସେଣ୍ଟ୍ରାଲ ରେଞ୍ଜର ପୃଥିବୀ ରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀ, ଜୀବନ ତ୍ରିପାଠୀ ପ୍ରମୁଖ ହାତୀଙ୍କ ସୁରକ୍ଷା ପାଇଁ ରାତି ଅନିଦ୍ରା ହୋଇ କଡାକଡି ଭାବେ ନିଜ ନିଜ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି ।
ଅପରପକ୍ଷେ ଏହି ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଅନ୍ତର୍ଗତ ମଲାସପଦର ନିକଟରେ ଥିବା ଭଞ୍ଜନଗର ଆଦର୍ଶ ବିଦ୍ୟାଳୟ ମୁଖ୍ୟ ଫାଟକୁ ହାତୀପଲ ବୁଧବାର ରାତିରେ ଭାଙ୍ଗି ଦେଇଛନ୍ତି। ବର୍ତ୍ତମାନ ଜମିରେ ଫସଲ ନାହିଁ। ତେଣୁ ହାତୀପଲ ଗ୍ରାମ ଅଭିମୁଖେ ଆସି ବିଭିନ୍ନ ପ୍ରକାର ଫସଲ କ୍ଷତି କରୁଛନ୍ତି। ଯାହାକୁ ନେଇ ଲୋକେ ଚିନ୍ତାରେ ଅଛନ୍ତି। ଅନ୍ୟ ପଟେ ବିଭାଗୀୟ କର୍ମଚାରୀ ମାନେ ମଧ୍ୟ ବନ୍ୟପ୍ରାଣୀ ଏବଂ ସାଧାରଣ ଜନତା ଉଭୟ କିଭଳି ସୁରକ୍ଷିତ ରହିପାରିବେ ସେନେଇ ପଦକ୍ଷେପ ନିଆଯାଇଛି।
Dharitri – Odisha’s No.1 Odia Daily