ଦାରିଙ୍ଗବାଡି, ୧୩।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ସିଆଙ୍ଗବାଲି ଠାରୁ ଅଡାମାହାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ସେହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ବଡ଼ ବଡ଼ ଖାଲଖମାରେ ଭର୍ତ୍ତି ଉକ୍ତ ରାସ୍ତାରେ ଗାଡିମୋଟର ଯାତାୟାତରେ ବଡ଼ ସମସ୍ୟା ଦେଖାଯାଇଛି। ଏକାଧିକ ସ୍ଥାନରେ ରାସ୍ତା ଧୋଇହୋଇଯାଇଛି। ପୂର୍ବରୁ ଏହି ରାସ୍ତାର ଅବସ୍ଥା ଖରାପ ଥିବାବେଳେ ଚଳିତ ବର୍ଷାରେ ଅବସ୍ଥା ଦ୍ବିଗୁଣିତ ବିଗିଡି ଯାଇଛି।
ସିଆଙ୍ଗବାଲିଠାରୁ ଉକ୍ତ ରାସ୍ତା ଅଡାମାହା ଛକ ତଥା ୫୯ ନଂ ଜାତୀୟରାଜପଥକୁ ସଂଯୋଗ କରୁଛି ସିଆଙ୍ଗବାଲିରୁ ସେହିରାସ୍ତାରେ ଯାଇ ଲୋକମାନେ ଜାତୀୟ ରାଜପଥରୁ ବ୍ରହ୍ମପୁର ଏବଂ ବାଲିଗୁଡା, ଫୁଲବାଣୀ ଆଦି ଅଞ୍ଚଳକୁ ଯାତାୟାତ କରନ୍ତି। କିନ୍ତୁ ଉକ୍ତ ରାସ୍ତା ଖରାପ ଯୋଗୁ ସେହି ରାସ୍ତା ଦେଇ ଯାଉଥିବା ଏକାଧିକ ଗ୍ରାମବାସୀ ହଇରାଣ ଭୋଗୁଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି, ରାସ୍ତା ମରାମତି ପାଇଁ ଅଟକଳ କରି ପଠାଯାଇଛି। ଅନୁଦାନ ଆସିଲେ ଟେଣ୍ଡର କରାଯାଇ ରାସ୍ତା ମରାମତି କରାଯିବ ବୋଲି ସେ କହିଛନ୍ତି।