ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ଏସ୍‌ଆଇ ଗୁରୁତର

ଆର୍‌.ଉଦୟଗିରି,୨୩ା୧(ଡି.ଏନ.ଏ.): ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ସେପଟେ ପୋଲିସକୁ ଚକ୍‌ମା ଦେଇ ଗଞ୍ଜେଇ ଗାଡ଼ିଟି ପଳାଇଯାଇଛି। ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କିର୍ତ୍ତିଗାଁ ନିକଟରେ ସୋମବାର ଏଭଳି ଘଟଣା ଘଟିଛି।
କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଖବରପାଇ ମୋହନା ଥାନା ଏସ୍‌ଆଇ ଏଲ. ଭି. ପ୍ରସାଦ ତାହାର ପିଚ୍ଛା କରିଥିଲେ। ପୋଲିସ ଗାଡି ଦେଖି ଗଞ୍ଜେଇ ଚାଲାଣକାରୀ କାର୍‌ଟିକୁ ମାଟି ରାସ୍ତାରେ ଦ୍ରୁତ ଗତିରେ ଚଳାଇଥିଲେ। ପ୍ରବଳ ଧୂଳି ଉଡିବାରୁ ପୋଲିସ ଗାଡିର ଡ୍ରାଇଭର ରାସ୍ତା ଜାଣି ନ ପାରି କିର୍ତ୍ତିଗାଁ ନିକଟରେ ବ୍ରେକ ମାରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଗାଡିଟି ସେଠାରେ ଓଲଟି ପଡିବାରୁ ଏସଆଇ ପ୍ରସାଦଙ୍କ କାନ୍ଧରେ ଆଘାତ ଲାଗିଥିଲା। ତାଙ୍କୁ ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।