୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ ସ୍ଥାପିତ ବିଦ୍ୟାଳୟ ନାମରେ ଜମି ପଟ୍ଟା ନାହିଁ। ଗ୍ରାମ୍ୟ ଜଙ୍ଗଲ ଜମିରେ ବିଦ୍ୟାଳୟ କୋଠା ନିର୍ମାଣ ହୋଇ ଶିକ୍ଷାଦାନ ଚାଲିଛି। ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ଓ ଶିଶୁ ବାଟିକାକୁ ମିଶାଇ ମୋଟ ୯ ଶ୍ରେଣୀ ପାଇଁ ୯ଟି କୋଠରି ରହିଥିବା ବେଳେ ୫ଟି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ମାତ୍ର ୪ କୋଠରିରେ ୨୭୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୭ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ା ୪ କୋଠରିରେ ୯ ଶ୍ରେଣୀର ପିଲାଙ୍କୁ କିଭଳି ଶାକ୍ଷାଦାନ କରାଯାଉଥିବ ତାହା ସହଜେ ଅନୁମେୟ। ବିଦ୍ୟାଳୟର ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ପାଣି ା ଗୋଟିଏ ମାତ୍ର ନଳକୂଅ ଥିବାବେଳେ ସେଥିରୁ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଛି। ସରକାରଙ୍କ ପକ୍ଷରୁ ଏହାକୁ ନିଷିଦ୍ଧ ମଧ୍ୟ ଘୋଷଣା କରାଯାଇଛି। ହେଲେ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଛାତ୍ରୀଛାତ୍ର ବାଧ୍ୟହୋଇ ଏହି ପାଣି ବ୍ୟବହାର କରୁଛନ୍ତି। ପୁଣି ଆବଶ୍ୟକ ଅନୁସାରେ ପାଣି ନଳକୂଅରୁ ବାହାରୁ ନାହିଁ ା ଛାତ୍ରମାନଙ୍କ ପାଇଁ ପାଇଖାନା ଓ ପରିସ୍ରାଗାର ସୁବିଧା ରହିଥିବା ବେଳେ ଛାତ୍ରୀମାନଙ୍କ ପାଇଁ ଆଦୌ ସୁବିଧା ନାହିଁ। ଏହି ସମସ୍ୟା ନେଇ ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବାରମ୍ବାର ପ୍ରଶାସନଠାରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଲିନାହିଁ। ଏ ସଂକ୍ରାନ୍ତରେ କୋମନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୀତା ପଣ୍ଡାଙ୍କୁ ପଚାରିବାରୁ ବିଦ୍ୟାଳୟରେ ଥିବା ସମସ୍ୟା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦେଇଛୁ ବୋଲି କହିଥିଲେ ା

Dharitri – Odisha’s No.1 Odia Daily

Share