ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଅଧୀନ ଭଗିଆ ଅଞ୍ଚଳରେ ।
୨୫ ବର୍ଷ ତଳେ ନିଖୋଜ ଶୁକଦେବ ଦେବନାଥ(୬୫) ରବିବାର ରାତିରେ ଘରକୁ ଫେରିଛନ୍ତି । ତାଙ୍କୁ ଦେଖିବା ପାଇଁ ସୋମବାର ସକାଳେ ଗାଁ ଲୋକଙ୍କ ଭିଡ ଲାଗିଥିଲା। ସେ ଘରୁ ଯିବାପରେ ତାଙ୍କର ଦୁଇ ବଡ଼ ଭାଇଙ୍କ ସମେତ ଗାଁର ବୟସ୍କ ଲୋକଙ୍କ ମୃତ୍ୟୁ ଖବର ପାଇ ସେ କାନ୍ଦି ପକାଇଥିଲେ। ଅପରପକ୍ଷେ ଶୁକଦେବଙ୍କୁ ପାଇଁ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।
ସୂଚନା ଯୋଗ୍ୟ, ଶୁକଦେବ କଟକ ବଡ଼ମେଡ଼ିକାଲ ପାଖ ଫୁଟ୍ପାଥରେ ଥିବା ଏକ ହୋଟେଲରେ କାମ କରୁଥିଲେ । ଖବର ପାଇ ପରିବାର ଲୋକ ପହଞ୍ଚି ଥିଲେ ହେଲେ ଶୁକଦେବଙ୍କ ଦେହ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଅନ୍ତିମ ସତ୍କାର ଶେଷ ହୋଇଥିବା ପାଖ ହୋଟେଲ କର୍ମଚାରୀ ସୂଚନା ଦେଇଥିଲେ । ହେଲେ ହୋଟେଲ କର୍ମଚାରୀଙ୍କ ସୂଚନାର ସତ୍ୟତାକୁ ନେଇ ପରିବାର ଲୋକେ ଆଶଙ୍କାରେ ଥିବା ବେଳେ ଖବରକୁ ଗ୍ରହଣ ନ କରି ତାଙ୍କ ସ୍ତ୍ରୀ ସିନ୍ଦୂର କିମ୍ବା ହାତରୁ ଶଙ୍ଖା ଓହ୍ଲାଇ ନ ଥିଲେ ।
ଇତି ମଧ୍ୟରେ ଶୁକଦେବଙ୍କ ଝିଅ ରେବତୀଙ୍କ ବିବାହ ସରିଥିଲା ବେଳେ, ତାମିଲନାଡୁରେ କାର୍ଯ୍ୟ କରୁଥିବା ତାଙ୍କ ପୁଅ ହରେକୃଷ୍ଣ ଗାଁକୁ ଫେରି ଅଟୋ ଚଳାଇବା ପରେ ଅନ୍ୟ ଦୁଇଟି ଗାଡି କିଣି ବ୍ୟବସାୟ ଆରମ୍ଭ କରିବା ସହିତ ବିବାହ ମଧ୍ୟ କରିଥିଲେ। ତାଙ୍କର ଦୁଇ ଝିଅ-ପୁଅ ଅଛନ୍ତି। ହେଲେ ମା’, ସ୍ତ୍ରୀ, ଝିଅ-ପୁଅ ଥିବା ସତ୍ତ୍ବେ ବାପାଙ୍କ ଅନୁପସ୍ଥିତି ପରିବାର ଲୋକଙ୍କୁ ଚିନ୍ତାଗ୍ରସ୍ତ କରୁଥିଲା ବୋଲି ପୁଅ କହିଛନ୍ତି। ଶେଷରେ ପରିବାର ଲୋକଙ୍କ ଡାକ ଶୁଣିଛନ୍ତି ଠାକୁର। ବାପା ମିଳିଗଲେ ବୋଲି ଲୁହ ଛଳଛଳ ଆଖି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ହରେକୃଷ୍ଣ ।
ଶୁକଦେବଙ୍କ ଠାବ ଏକ ଦୈବୀ ସଂଯୋଗରୁ ହୋଇଛି । ସିମୁଳିଆ ବ୍ଲକ ଆଙ୍କିତିରା ଅଞ୍ଚଳର ମନୋରମା ନାମକ ଜଣେ ବୟସ୍କା ମହିଳା କଟକ ଡାକ୍ତରଙ୍କ ନିକଟକୁ ଯାଇଥିବା ବେଳେ ଲିଙ୍କ ରୋଡର ନରେନ୍ଦ୍ର ଷେଣଙ୍କ ଚା’ ଦୋକାନରେ ଶୁକଦେବଙ୍କ ସହିତ ଗତ ୫ଦିନ ପୂର୍ବରୁ ସାକ୍ଷାତ ହୋଇଥିଲା । ଶୁକଦେବ ସିମୁଳିଆ ବ୍ଲକର ଜାଣିବା ପରେ ତାଙ୍କୁ ସାଥିରେ ନେଇ ଘରେ ଛାଡ଼ିଦେବି ବୋଲି ମନୋରମା କହିଥିଲେ। ହେଲେ ପୁଅକୁ ଆସି ନେଇଯିବା ପାଇଁ କହିବ ବୋଲି ଶୁକଦେବ କହି ଚାଲିଯାଇଥିଲେ।
ପରେ ସିମୁଳିଆ ବ୍ଲକ ମାର୍କୋଣାର ଏକ ଗୋଖାଦ୍ୟ ଦୋକାନରେ ମନୋରମା ଶୁକଦେବଙ୍କ ବିଷୟରେ ଦୋକାନୀଙ୍କୁ କହୁଥିବା ବେଳେ ଚନ୍ଦ୍ର ଶେଖର ଦେବନାଥ ନାମକ ଜଣେ ଶିକ୍ଷକ ଶୁଣି ସୂଚନା ଦେଇଥିଲେ । ପରେ ଚା’ ଦୋକାନୀଙ୍କ ନିକଟରେ ପହଞ୍ଚିବାରୁ ଶୁକଦେବ କାମକରୁଥିବା ମଧୁପାଟଣା ଅଞ୍ଚଳର ଏକ ହୋଟେଲର ଠିକଣା ଦେଇଥିଲେ। ସେଠାକାର ହୋଟେଲ ମାଲିକ ତାଙ୍କୁ ଛାଡ଼ିବା ପାଇଁ ଅନିଛା ପ୍ରକାଶ କରିଥିଲେ। ପରେ କଟକ ମଧୁପାଟଣା ପୋଲିସ ସହଯୋଗରେ ଶୁକଦେବ ରବିବାର ଅପରାହ୍ନରେ ଘରକୁ ଫେରିଛନ୍ତି।
Dharitri – Odisha’s No.1 Odia Daily