Categories: Home Leftଖେଳ

ଦିନିକିଆ ଅଧିନାୟକ ହେବା ପରେ ରୋହିତଙ୍କୁ ନେଇ ସ୍ପଷ୍ଟ ମନ୍ତବ୍ୟ ଦେଲେ ଶୁଭମନ ଗିଲ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୧୦: ଭାରତୀୟ କ୍ରିକେଟ ଦଳର ନୂତନ ଦିନିକିଆ ଅଧିନାୟକ ଶୁଭମନ ଗିଲ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧିତ କରି ନିଜର ନୂଆ ଦାୟିତ୍ୱ ବିଷୟରେ ମନ୍ତବ୍ୟ ରଖିଛନ୍ତି। ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ଅଧିନାୟକ ଦାୟିତ୍ୱ ଗ୍ରହଣ କରିଥିବା ଗିଲ କହିଛନ୍ତି ଯେ, ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ଘୋଷଣା ପୂର୍ବରୁ ତାଙ୍କୁ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦିଆଯାଇଥିଲା।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଗିଲ କହିଛନ୍ତି, “ଟେଷ୍ଟ ମ୍ୟାଚ ମଧ୍ୟରେ ଏହି ଘୋଷଣା ହୋଇଥିଲା, କିନ୍ତୁ ମୋତେ ଏହା ପୂର୍ବରୁ ଜଣାଇ ଦିଆଯାଇଥିଲା। ଏହା ଏକ ବଡ଼ ଦାୟିତ୍ୱ ଓ ତାଠାରୁ ବଡ଼ ସମ୍ମାନ। ମୁଁ ଦେଶକୁ ଏହି ଫର୍ମାଟରେ ନେତୃତ୍ୱ ଦେବାକୁ ବହୁତ ଉତ୍ସାହିତ। ଗତ କିଛି ମାସ ମୋ ପାଇଁ ରୋମାଞ୍ଚକର ରହିଛି।”

କିଛି ମାସ ପୂର୍ବେ ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଗିଲ କହିଛନ୍ତି ଯେ, ସେ ତିନି ଫର୍ମାଟରେ ନିଜକୁ ପ୍ରମାଣ କରିବାକୁ ଓ ସମସ୍ତ ପ୍ରତିଯୋଗିତା ଜିତିବାକୁ ଆଗ୍ରହୀ। ସେ କହିଛନ୍ତି, “ମୁଁ ଭବିଷ୍ୟତକୁ ଦୃଷ୍ଟି ଦେଇ ସବୁକିଛି ଜିତିବାକୁ ଚାହୁଁଛି। ଅତୀତରେ କ’ଣ ହାସଲ କରିଛୁ, ତାକୁ ନେଇ ମୁଁ ଅଧିକ ଭାବୁନାହିଁ, ବର୍ତ୍ତମାନରେ ରହି ଆଗାମୀ ମାସଗୁଡ଼ିକରେ ସଫଳତା ହାସଲ କରିବାକୁ ଚାହୁଁଛି।”

ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜ ସମୟରେ ଗିଲଙ୍କ ସହ ରୋହିତ ଶର୍ମା ଦଳରେ ରହିବେ। ଗିଲ ରୋହିତଙ୍କଠାରୁ ଶିଖିଥିବା ଗୁଣଗୁଡ଼ିକ ବିଷୟରେ କହିଛନ୍ତି, “ରୋହିତ ଭାଇଙ୍କ ଶାନ୍ତ ସ୍ୱଭାବ ଓ ଦଳ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାର ଗୁଣ ମୋତେ ପ୍ରେରଣା ଦେଇଛି। ମୁଁ ତାଙ୍କଠାରୁ ଏହି ଗୁଣଗୁଡ଼ିକୁ ଗ୍ରହଣ କରିବାକୁ ଚାହୁଁଛି।”

ଭାରତୀୟ କ୍ରିକେଟରେ ଏକ ନୂଆ ଅଧ୍ୟାୟର ସୂଚନା କରୁଥିବା ଗିଲଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।

Dharitri – Odisha’s No.1 Trusted Odia Daily