ଶୁବମନଙ୍କୁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ,୧୨ା୩: ନିକଟରେ ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ଷ୍ଟାର ଓପ୍‌ନର ଶୁବମନ ଗିଲ୍‌ଙ୍କୁ ବୁଧବାର ଫେବୃଆରୀ ମାସ ପାଇଁ ଆଇସିସି ମେନ୍ସ ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ କରାଯାଇଛି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଓ ନ୍ୟୁଜିଲାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କୁ ପଛରେ ପକାଇ ଗିଲ୍‌ ଏହି ପୁରସ୍କାର ଜିତିଛନ୍ତି। ଗତମାସରେ ଗିଲ୍‌ ୮ ଦିନିକିଆ ମ୍ୟାଚ୍‌ରେ ୧୦୧.୫୦ ଆଭରେଜ୍‌ ଓ ୯୪.୧୯ ଷ୍ଟ୍ରାଇକ୍‌ରେଟ୍‌ରେ ୪୦୬ ରନ୍‌ କରିଥିଲେ। ଏଥିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ ବି ସାମିଲ ରହିଛି। ସେ ନାଗପୁରରେ ୮୭, କଟକରେ ୬୦ ଓ ଅହମ୍ମଦାବାଦରେ ୧୧୨ ରନ୍‌ କରିଥିଲେ। ଏହାପରେ ଚାମ୍ପିୟନ୍ସ ଟ୍ରଫିରେ ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ୧୦୧ ରନ୍‌ର ଇନିଂସ ଖେଳିଥିଲେ। ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ୪୬ ରନ୍‌ କରିଥିଲେ।