ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭ ଖଜୁରଟିକ୍ରା ନିବାସୀ ଶୁଭମ ମହାନ୍ତି(୨୬)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି।
ମୃତ ଯୁବକ ବରଗଡ଼ର ଏକ ଲଜ୍‌ରେ ମ୍ୟାନେଜର ଭାବେ କାମ କରୁଥିଲେ। ସେ ସବୁଦିନ ଭଳି ସୋମବାର ସକାଳ ୬ଟାରୁ ତାଙ୍କ ସ୍କୁଟିରେ ଉକ୍ତ ଲଜ୍‌କୁ ଯାଇଥିଲେ। ତେବେ ସକାଳ ୮ଟାରେ ସେ ଘରକୁ ଯାଉଛି କହି ଲଜ୍‌ରୁ ବାହାରିଥିଲେ। କିନ୍ତୁ ରାତି ସୁଦ୍ଧା ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ୱେ ତାଙ୍କୁ ପାଇ ନ ଥିଲେ ଏବଂ ରାତାରାତି ପୋଲିସକୁ ଜଣାଇଥିଲେ। ଅନ୍ୟପଟେ ମଙ୍ଗଳବାର ସକାଳେ ବେକରେ ଦଉଡ଼ି ବନ୍ଧା ହୋଇ ଏକ ଗଛରେ ଝୁଲୁଥିବା ଅର୍ଥାତ ଗୋଡ଼ ତଳକୁ ଲାଗି ରହିଥିବା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସେହିପରି ଘଟଣାସ୍ଥଳରେ ମୃତ ଯୁବକଙ୍କ ସ୍କୁଟି ମଧ୍ୟ ରହିଥିଲା। ସ୍ଥାନୀୟ ଲୋକେ ଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଚିହ୍ନଟ ହୋଇଥିଲା।

 

Dharitri – Odisha’s No.1 Odia Daily