କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ ପରେ କିଡ୍‌ନୀ ଓ ହାର୍ଟ ଦାନକରି ଅମର ହୋଇଛନ୍ତି। ମୃତ୍ୟୁ ପରେ ପରିବାର ଲୋକେ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସମ୍ମାନ ଦେଇ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି।
ସୂଚନା ମୁତାବକ, ଶୁଭମ୍‌ ତାଙ୍କ ମାମୁଘର ହାଟଡ଼ିହୀ ବ୍ଲକ୍‌ ଅଣା ଗ୍ରାମର ବାବାଜୀ ବେହେରାଙ୍କ ଘରେ ରହି ଅଣା ବିଦ୍ୟାଳୟରେ ୭ମ ଶ୍ରେଣୀରେ ପଢୁଥିଲେ। ଗତ ୧୪ ତାରିଖରେ ମାମୁଘର ଲୋକଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ପୁରୀ ସ୍ବର୍ଗଦ୍ୱାର ନିକଟରେ ଏକ ସ୍କର୍ପିଓ ତାଙ୍କୁ ଧକ୍କାଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁଭମ୍‌ଙ୍କ ମୃତ୍ୟୁ ଘଟିଥିଲା। ବାପା ଉପେନ୍ଦ୍ର ଓ ମା’ ମିତାରାଣୀ ଶୁଭମ୍‌ଙ୍କ କିଡ୍‌ନୀ ଓ ହାର୍ଟ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଘରୋଇ ହସ୍ପିଟାଲରେ ଅଙ୍ଗଦାନ ପରେ ଶୁକ୍ରବାର ଗାଁରେ ମୃତଦେହ ପହଞ୍ଚତ୍ଥିଲା। ଶୋଭାଯାତ୍ରାରେ ମୃତଦେହ ମରୈଗାଁ ଛକରୁ ନିଆଯାଇଥିଲା। ଗାର୍ଡ ଅଫ ଅନର ପରେ ଜମ୍ଭିରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ସମୟରେ ଜିଲା ପ୍ରଶାସନ ନିର୍ଦ୍ଦେଶ ଅନୁଯାୟୀ ସୋସୋ ଥାନା ଅଧିକାରୀ କାନନ ସାହୁ, ଥାନାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଗାର୍ଡ ଅଫ ଅନରରେ ସାମିଲ ଥିଲେ ।

Dharitri – Odisha’s No.1 Odia Daily

Share