ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ପୁଅ ଶୁଭଙ୍କର ପ୍ରଧାନ (୧୪ ବର୍ଷ)ଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଶନିବାର ରାତିରେ ଭବାନୀପୁର ଗ୍ରାମରେ ରାମାୟଣ ନାଟକ ପରିବେଷଣ ହେଉଥିଲା । ଉକ୍ତ ନାଟକକୁ ବହୁ କଳାପ୍ରେମୀ ଦେଖୁଥିଲେ। ଏହି ସମୟରେ ହନୁମାନ ବେଶରେ ଅଭିନୟ କରୁଥିବା ବ୍ୟକ୍ତି ମଞ୍ଚରୁ ଦର୍ଶକଙ୍କ ଆଡ଼କୁ ଡେଇଁଥିଲେ। ଏଥିରେ ଭୟଭୀତ ହୋଇ ଦେଖୁଥିବା ନାବାଳକ ଶୁଭଙ୍କର ଧାଇଁ ଧାଇଁ ପଛକୁ ଚାଲିଯାଇଥିଲେ। ଧାଇଁ ଧାଇଁ ଯିବାବେଳେ ଅଳ୍ପ ଉଚ୍ଚରେ ଥିବା ବିଦ୍ୟୁତ ସବଷ୍ଟେଶନରେ ଲାଖିଯାଇଥିଲେ। ସେଥିରେ ପିଲାଟିର ଜୀବନ ଚାଲିଯାଇଛି। ସଙ୍ଗେ ସଙ୍ଗେ ପିଲାଟିକୁ ନିକଟ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତ ବାଳକର ଶବକୁ ଜବତ କରି ବ୍ୟବଚ୍ଛେଦ କରିଛନ୍ତି। ବିଦ୍ୟୁତ ସବଷ୍ଟେଶନ ବହୁତ ତଳେ ଏବଂ ସବଷ୍ଟେଶନ ମେଶିନକୁ ତାର ବାଡ଼ କିମ୍ବା ସିମେଣ୍ଟ ଖୁଣ୍ଟ ତିଆରି ହୋଇ ନ ଥିଲା। ଅସୁରକ୍ଷିତ ଭାବେ ରଖିଥିବାରୁ ନିରୀହ ବାଳକଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି। ଏହା ପୂର୍ବରୁ ମୃତକଙ୍କ ପିତା ପ୍ରମୋଦ ପ୍ରଧାନ ଏବଂ ମାତା ସୁନନ୍ତି ପ୍ରଧାନଙ୍କ ୨ ପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ଏକମାତ୍ର ପୁତ୍ରର ମୃତ୍ୟୁ ଘଟିଛି। ଉକ୍ତ ଖବର ପ୍ରସାରଣ ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏନେଇ ପରିବାର ଏବଂ ଜନସାଧାରଣ କ୍ଷତିପୂରଣ ବାବଦ ଅର୍ଥ ବିଦ୍ୟୁତ ବିଭାଗକୁ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily