ଶ୍ରୀୟା ସରନଙ୍କ ବୈବାହିକ ଜୀବନରେ ଝଡ଼, ସାବତ ଝିଅଙ୍କ ଯୋଗୁ…

ହାଇଦ୍ରାବାଦ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶ୍ରୀୟା ସରନ। ନିଜର ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣଥିବା ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ନୂଆ ଚଳଚ୍ଚିତ୍ର ‘ମିରାଇ’ ସହ ପରଦାକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଏବେ ସେ ନିଜର ବିବାହିତ ଜୀବନକୁ ନେଇ ଖବରରେ  ଅଛନ୍ତି। ଶ୍ରୀୟା ଓ ତାଙ୍କ ସ୍ବାମୀ ଆନ୍ଦ୍ରେଇ କୋଶ୍ଚିଭଙ୍କ ବିବାହିତ ଜୀବନରେ ସଙ୍କଟ ଦେଖା ଦେଇଛି। ଏହା ପଛର କାରଣ ଶ୍ରୀୟାଙ୍କ ସାବତ ଝିଅ ବୋଲି କୁହାଯାଉଛି।
ଶ୍ରୀୟା ସରନ ଓ ଆନ୍ଦ୍ରେଇ କୋଶ୍ଚିଭ ୨୦୧୮ ମସିହାରେ ବିବାହ କରିଥିଲେ। ଆନ୍ଦ୍ରେଇଙ୍କର ଜଣେ ରୁଷୀୟ ଝିଅ ଅଛନ୍ତି, ଯାହାଙ୍କ ଜନ୍ମ ୧୯୯୫ ମସିହାରେ ହୋଇଥିଲା। ୨୦୨୦ରେ ସେହି ଝିଅଙ୍କ ବିବାହ ହୋଇଥିଲା ଏବଂ ୨୦୨୧ରେ ସେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ଆନ୍ଦ୍ରେଇ ନିଜ ଝିଅ ଓ ନାତୁଣୀଙ୍କ ସହ ବେଶ ନିକଟତର ହୋଇଛନ୍ତି। ସେମାନଙ୍କ ପାଇଁ ପ୍ରଚୁର ଖର୍ଚ୍ଚ କରୁଛନ୍ତି। କିନ୍ତୁ ଏହା  ଶ୍ରୀୟା ସରନଙ୍କୁ ଆଦୌ ପସନ୍ଦ ନୁହେଁ, ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଦୂରତ୍ୱ ବଢ଼ିବାରେ ଲାଗିଛି।
ଶ୍ରୀୟା ଓ ଆନ୍ଦ୍ରେଇଙ୍କୁ ପ୍ରାୟତଃ ଇଭେଣ୍ଟ ଓ ପାର୍ଟିରେ ଏକାଠି ଦେଖାଯାଉଥିଲା ଏବଂ ପାପାରାଜିଙ୍କ ସାମ୍ନାରେ ମଧ୍ୟ ଏବେ ‘ମିରାଇ’ ଚଳଚ୍ଚିତ୍ରର ଇଭେଣ୍ଟ ସମୟରେ ଶ୍ରୀୟା ଏକାକି ନଜର ଆସିଥିଲେ। ଏବେ ଦୁହେଁ ପରସ୍ପର ସହ କଥା ମଧ୍ୟ ହେଉନାହାନ୍ତି। ଅଭିନେତ୍ରୀ ଚାହୁଁଛନ୍ତି ଯେ ଆନ୍ଦ୍ରେଇ ତାଙ୍କ ଝିଅ ଓ ନାତୁଣୀଙ୍କ ସହ ସମ୍ପର୍କ କାଟି ଦିଅନ୍ତୁ, ନଚେତ ସେଟଲମେଣ୍ଟ ରାଶି ଦେଇ ତାଙ୍କ ଓ ରାଧା (ଶ୍ରୀୟା ଓ ଆନ୍ଦ୍ରେଇଙ୍କ ଝିଅ)ଙ୍କଠାରୁ ଅଲଗା ହୋଇଯାଆନ୍ତୁ ବୋଲି କୁହାଯାଉଛି।
ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ ଶ୍ରୀୟା ସରନ କିମ୍ବା ଆନ୍ଦ୍ରେଇ କୋଶ୍ଚିଭଙ୍କ ତରଫରୁ କୌଣସି ଆଧିକାରିକ ବୟାନ ମିଳିନାହିଁ। ସେ ଯାହା ବି ହେଉଛି ଏହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।