ନୂଆଦିଲ୍ଲୀ,୨୭।୧୦: ଭାରତର ଦିନିକିଆ ଉପ-ଅଧିନାୟକ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଆହତ ହେବା ପରେ ସିଡନୀର ଏକ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU) ରେ ଭର୍ତ୍ତି ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ପଞ୍ଜରା ତଳ ଅଞ୍ଚଳରେ ଶକ୍ତ ଆଘାତ ଲାଗିଥିଲା, ଯାହା ଫଳରେ ତାଙ୍କର ସ୍ପ୍ଲିନ୍ରେ ଲାସେରେସନ୍ ଆଘାତ (Laceration injury to the spleen) ହୋଇଥିବା ସ୍କାନ୍ରୁ ଜଣାପଡ଼ିଛି।
ହର୍ଷିତ ରାଣାଙ୍କ ବଲ୍ରେ ଆଲେକ୍ସ କ୍ୟାରିଙ୍କ ଏକ କ୍ୟାଚ୍ ଧରିବା ସମୟରେ ଆୟର ଅସାବଧାନତାବଶତଃ ବାମ ପଞ୍ଜରା ଓ କହୁଣୀ ଉପରେ ପଡ଼ିଯାଇଥିଲେ। BCCI ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆୟର ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତଥାପି, ଅନ୍ତରୀଣ ରକ୍ତସ୍ରାବ ଯୋଗୁଁ ତାଙ୍କୁ ICUରେ ରଖାଯାଇଛି।
ଆଘାତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଶ୍ରେୟସ ଆୟରଙ୍କ ବାପା-ମା’ ଅର୍ଜେଣ୍ଟ ଭିସା (Urgent Visas) ପାଇଁ ଆବେଦନ କରିଛନ୍ତି, ଯାହାଫଳରେ ସେମାନେ ତୁରନ୍ତ ସିଡନୀରେ ପହଞ୍ଚି ପୁଅଙ୍କ ସହ ରହିପାରିବେ।
BCCI ର ମେଡିକାଲ ଟିମ୍ ସିଡନୀ ଏବଂ ଭାରତର ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଆୟରଙ୍କ ଆଘାତ ଉପରେ ତୀକ୍ଷ୍ଣ ନଜର ରଖିଛି। ଭାରତୀୟ ଦଳର ଡାକ୍ତର ତାଙ୍କ ଦୈନିକ ଅଗ୍ରଗତିର ମୂଲ୍ୟାଙ୍କନ ପାଇଁ ଶ୍ରେୟସଙ୍କ ସହ ସିଡନୀରେ ରହିବେ।
ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରେ ଆୟରଙ୍କ ଅଂଶଗ୍ରହଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଘାତ ପୂର୍ବରୁ ଶ୍ରେୟସ ଆୟର ଚମତ୍କାର ଫର୍ମରେ ଥିଲେ। ଚଳିତ ସିରିଜ୍ର ଦୁଇଟି ମ୍ୟାଚରେ ସେ ୭୨ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଆଡିଲେଡ୍ ଦିନିକିଆରେ ୭୭ ବଲରେ ଏକ ଗୁରୁତ୍ୱପୂର୍ଣ୍ଣ ୬୧ ରନର ଇନିଂସ ସାମିଲ ଥିଲା।