ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ ଆୟରଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି।
ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚରେ ଗତ ସିଜନର ରନରଅପ୍ ପଞ୍ଜାବ ୫ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ଉଇକେଟରେ ହରାଇ ଚଳିତ ସିଜନରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପଞ୍ଜାବ ଚଳିତ ସିଜନରେ ଆଇପିଏଲ୍ ଆଚରଣବିଧି ଧାରା ୨.୨୨ ଅଧୀନରେ ଦ୍ୱିତୀୟ ଅପରାଧ କରିଥିବାରୁ ଅଧିକ ଦଣ୍ଡ ବିଧାନ କରାଯାଇଛି। ଆୟରଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ଆପିଏଲ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଇମ୍ପାକ୍ଟ ଖେଳାଳିଙ୍କ ସମେତ ଚୂଡ଼ାନ୍ତ ଏକାଦଶର ସମସ୍ତ ସଦସ୍ୟ ଭାରତୀୟ ମୁଦ୍ରାରେ ୬ ଲକ୍ଷ ଟଙ୍କା କିମ୍ୱା ସେମାନଙ୍କ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଯାହା କମ୍ ହେବ ତାହା ଜରିମାନା କରାଯିବ ବୋଲି କୁହାଯାଇଛି।