ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ ସ୍ତବ୍ଧ ହୋଇଯାଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ସକାରାତ୍ମକ ଭାବେ ଗ୍ରହଣ କରି ପ୍ରଖ୍ୟାତ ଗାୟିକା ଶ୍ରେୟା ଘୋଷାଲ ତାଙ୍କୁ ସମର୍ଥନ ଜଣାଇଛନ୍ତି।

ଶ୍ରେୟା କହିଛନ୍ତି ଯେ, “ଏହା ଅରିଜିତଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟର ଆରମ୍ଭ। ଏହି ପ୍ରତିଭାବାନ କଳାକାର ଆଗକୁ କ’ଣ ନୂଆ ସୃଷ୍ଟି କରିବେ, ତାହା ଶୁଣିବା ଓ ଅନୁଭବ କରିବା ପାଇଁ ମୁଁ ଅତ୍ୟନ୍ତ ଉତ୍ସାହିତ। ମୁଁ ଏହାକୁ କେବେ ବି ଏକ ଯୁଗର ଅନ୍ତ ବୋଲି କହିବି ନାହିଁ।” ଶ୍ରେୟା ଆହୁରି ମଧ୍ୟ କହିଛନ୍ତି ଯେ ଅରିଜିତଙ୍କ ଭଳି ଜଣେ ଶ୍ରେଷ୍ଠ କଳାକାରଙ୍କୁ କୌଣସି ନିର୍ଦ୍ଦିଷ୍ଟ ଢାଞ୍ଚାରେ ବାନ୍ଧି ରଖାଯାଇପାରିବ ନାହିଁ।

ଅରିଜିତ ସ୍ପଷ୍ଟ କରିଛନ୍ତି ଯେ ସେ ସଙ୍ଗୀତ ଦୁନିଆରୁ ସମ୍ପୂର୍ଣ୍ଣ ବିଦାୟ ନେଉନାହାନ୍ତି। ସେ କହିଛନ୍ତି, ଜଣେ ସଙ୍ଗୀତ ପ୍ରେମୀ ଏବଂ ଆଗକୁ ସ୍ୱାଧୀନ ଭାବେ ସଙ୍ଗୀତ ଶିଖିବା ଓ ନୂଆ କାମ କରିବାକୁ ଚାହୁଁଛନ୍ତି। ପୁଣିଥରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିଜର ପୁରୁଣା ପ୍ରତିଶ୍ରୁତି ବା ବାକି ଥିବା କାମଗୁଡ଼ିକୁ ସେ ଶେଷ କରିବେ, ଯାହା ଚଳିତ ବର୍ଷ ରିଲିଜ୍ ହୋଇପାରେ।

ଅରିଜିତଙ୍କ ଏହି ନିଷ୍ପତ୍ତି ପରେ ବାଦଶାହ, ଅମଲ ମଲିକଙ୍କ ଭଳି ଅନେକ ବଡ଼ କଳାକାର ନିଜର ଦୁଃଖ ପ୍ରକାଶ କରିଥିବା ବେଳେ ଶ୍ରେୟାଙ୍କ ଏହି ଉତ୍ସାହଜନକ ବାର୍ତ୍ତା ତାଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଛି।