ଶବ ସତ୍କାର ପାଇଁ ମିଳିଲେନି ଲୋକେ, ମାନବିକତା ଦେଖାଇ ଆଗକୁ ଆସିଲେ…

ଭଞ୍ଜନଗର,୧୫।୧୨(ବାବୁଲା ପ୍ରଧାନ): ଦିନ ଥିଲା ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଲୋକଙ୍କ ମଧ୍ୟରେ ଏକତାର ଭାବ ଦେଖିବାକୁ ମିଳୁଥିଲା। କୌଣସି ଲୋକ ଅସୁବିଧାରେ ପଡ଼ିଲେ ସାହି ପଡୋଶୀ ଠାରୁ ଆରମ୍ଭ କରି ଗ୍ରାମବାସୀ ଏକାଠି ହେଉଥିଲେ। କିନ୍ତୁ ସମୟକ୍ରମେ ଏଥିରେ ଦୂରତ୍ୱ ଦେଖାଦେଲା। କରୋନା ସମୟରେ ବି ଆହୁରି ଦୂରତା ବଢ଼ିଗଲା। ଏହିଭଳି ପରିସ୍ଥିତିରେ କରୋନା ସମୟରେ ଲୋକଙ୍କ ଦୁଃଖ ସୁଖରେ ଭାଗିଦାରୀ ହେବାପାଇଁ ବିପଦର ବନ୍ଧୁ ଭଞ୍ଜନଗର ଶାଖା ଆଗକୁ ଆସିଥିଲା। କରୋନା ସମୟରେ ଭଞ୍ଜନଗର ଅଞ୍ଚଳରେ ଯେତେ ସବୁ ଲୋକ ମେଡ଼ିକାଲରେ ମୃତ୍ୟୁବରଣ କରିଥିଲେ ସମସ୍ତ ମୃତଦେହକୁ ଉକ୍ତ ସଙ୍ଗଠନ ସତ୍କାର କରିଥିଲା। ଏଭଳି ମହାନ କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତାମାନେ ନିଜ ସେବା ଏବେବି ଜାରି ରଖିଛନ୍ତି। ଏହିଭଳି ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡ଼ାଗ୍ରାମରେ ଦୀର୍ଘ ଦିନ ଧରି ବସବାସ କରୁଥିବା ବୌଦ୍ଧର ଦୟାନିଧି ସେଠି ରବିବାର ରାତିରୁ ଅସୁସ୍ଥ ଅବସ୍ଥାରେ କୁଲାଡ଼ ପୋଖରୀ ନିକଟରେ ପଡି ରହିଥିଲେ । ଏନେଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ମେଡ଼ିକାଲରେ ଦୟାନିଧିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ତାଙ୍କ ନିଜର ପରିବାର ଲୋକ କେହି ଏଠାରେ ରହୁନଥିବା ବେଳେ ପତ୍ନୀଙ୍କ କିଛି ବର୍ଷ ହେଲା ଦେହାନ୍ତ ହୋଇଯାଇଛି। ଖବର ପାଇଁ ତାଙ୍କ ଝିଅ ବୌଦ୍ଧରୁ ସୋମବାର ଆସିଥିଲେ ବାପାଙ୍କ ମୃତଦେହକୁ ସତ୍କାର କରିବା ପାଇଁ । କିନ୍ତୁ ଏକୁଟିଆ ଏତେବଡ କାର୍ଯ୍ୟ କିଭଳି କରିବି ଭାବି ଝିଅର ଚିନ୍ତା ବଢିଥିଲା। ଏହାପରେ ଲୋକଙ୍କ ଠାରୁ ସୂଚନା ପାଇ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନକୁ ସହାୟତା ମାଗିଥିଲେ। ପୋଲିସ ଏବଂ ବାରୁଡ଼ା ସମିତିସଭ୍ୟ ପ୍ରତିନିଧି ସୋମନାଥ ସେଠିଙ୍କ ସହାୟତରେ ଅନୁଷ୍ଠାନର ସାରସ୍ୟମାନେ ମୃତ ଦୟାନିଧିଙ୍କ ମୃତଦେହକୁ ଭଞ୍ଜନଗର ଶ୍ମଶାନ ଘାଟଠାରେ ଆଜି ସତ୍କାର କରି ମାନବିକତା ଦେଖାଇଛନ୍ତି।

Dharitri – The Largest & Most Trusted Odia Daily